ଜାତୀୟ ରଗବୀ ପ୍ରି-କ୍ୟାମ୍ପରେ ସ୍ଥାନ ପାଇଲେ ଜିଲ୍ଲାର ୩ଜଣ ଖେଳାଳୀ
ଜିଲ୍ଲାପାଳକୁ ଭେଟିଲେ ଖେଳାଳୀ
ବାରିପଦା, 30 ଜୁଲାଇ (ହି.ସ.)- ଜାତୀୟ ରଗବୀ ଭାରତୀୟ ଦଳ ପ୍ରି-କ୍ୟାମ୍ପ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ କି ମୟୁରଭଞ୍ଜ ଜିଲ୍ଲାର ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀରୁ ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏନେଇ ଖେଳାଳି ମାନେ ବୁଧବାର ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଭେଟିଛନ୍ତି। ଅଗଷ୍ଟ ୧୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ପ୍ରି- କ୍ୟାମ୍ପ କଲିକତାର ସାଇ ନେତାଜୀ ସୁଭାଷ ଇଷ୍ଟର୍ଣ୍ଣ ସେଣ୍ଟରେ ଅନୁଷ୍ଠିତ ହେବ। ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରୁ ଖେଳାଳି ଯାଉଛନ୍ତି। ସେଥି ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସିନିୟର ବର୍ଗରେ ସନ୍ଧ୍ୟାରାଣୀ ଟୁଡୁ ଓ ସୁନିତା ହାଁସଦା ଏବଂ ଅଣ୍ଡର ୧୮ରେ ସୁମିତ୍ରା ମୁର୍ମୁ। ଏମାନେ ପୂର୍ବରୁ ଓଡ଼ିଶା ଦଳକୁ ପ୍ରତିଧ୍ୱନିତ କରି ଅନେକ ସଫଳତା ହାସଲ କରିଛନ୍ତି। ପ୍ରି କ୍ୟାମ୍ପରୁ ଚୟନ ଖେଳାଳି ମାନେ ଚାଇନା ଠାରେ ସେପ୍ଟେମ୍ବର ୨୦ ଓ ୨୧ରେ ଆୟୋଜିତ ରଗବୀ ସିରିଜରେ ଯୋଗ ଦେବେ। ଯାହାକୁ ନେଇ ଜିଲ୍ଲାପାଳ ତାଙ୍କର ସଫଳତା କାମନା କରିଛନ୍ତି। ୩ଜଣ ଖେଳାଳି ବର୍ତ୍ତମାନ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀରେ ରହି ପ୍ରଶିକ୍ଷଣ ନେଉଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ଭାଗିରଥୀ ମଲ୍ଲିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ଓଡ଼ିଶା ରଗବୀ ଫୁଟବଲ୍ ସଂଘର ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଡିଭାଇନ୍ ଅନୁଷ୍ଠାନର ନିର୍ଦ୍ଦେଶକ ବିପ୍ଲବଭଞ୍ଜନ ଭୁଗୁଡେଇ, ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ନିର୍ଦ୍ଦେଶକ ତଥା ସମାଜସେବୀ ଅମର କୁମାର ସେଠୀ, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା ସମେତ ବହୁ କ୍ରୀଡ଼ାବିତ ଅଭିନନ୍ଦନ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ