ସାଲେପୁର, ୩୦ ଜୁଲାଇ (ହି.ସ.) - ରାଜ୍ୟ ରାଜପଥ କଟକ- ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବଜାର ମଧ୍ୟସ୍ଥଳୀରୁ ବାହାରିଥିବା ନିଶ୍ଚିନ୍ତକୋଇଲି ଲଳିତଗିରି ରାସ୍ତାର ଆରମ୍ଭରୁ ସ୍ଥାନୀୟ ଅଂଚଳର ଆରାଧ୍ୟା ଗ୍ରାମ ଦେବତୀ ମା’ ବେଲେଶ୍ୱରୀଙ୍କ ପୀଠସ୍ଥଳୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହି ଯିବା ଆସିବାରେ ବାଧା ସୃଷ୍ଟି କରୁଛି । ଏହି ରାସ୍ତାରେ ପ୍ରତ୍ୟେକ ଦିନ ଅହେମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବହୁ ଛାତ୍ର ଛାତ୍ରୀ ଯାଆସ କରିଥାଆନ୍ତି । ନିକଟ ଅତୀତରେ ଉକ୍ତ ରାସ୍ତାକୁ ମରାମତି ଆଳରେ ଢଳେଇ ରାସ୍ତା ଉପରେ କିଛି କିଛି ସ୍ଥାନରେ ପିଚୁ ପକାଇ ତାଳିପକା କାର୍ଯ୍ୟ ହୋଇଥିଲା । ହେଲେ ରାସ୍ତାର ଅବସ୍ଥା ଯେମିତିକୁ ସେମିତି । ନାମକୁ ମାତ୍ର ଠିକାଦାର ରାସ୍ତାର ଏଠି ସେଠି ତାଳି ପକାଇ ଚାଲିଗଲେ । ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ଏ ବାବଦରେ ବ୍ୟୟ କରାଯାଇଥିଲେ ମଧ୍ୟ ରାସ୍ତାର ଅବସ୍ଥା ସୁଧୁରିଲା ନାହିଁ । ତୁରନ୍ତ ଏହି ରାସ୍ତାକୁ ମରାମତି କରାଯାଇ ଗମନାଗମନ ଉପଯୋଗୀ କରିବାକୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କଠାରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ରତ୍ନାକର ବାରିକ୍