ଭୁବନେଶ୍ୱର, ୩୦ ଜୁଲାଇ (ହି.ସ)- ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୁଧବାର ଲୋକସଭା ଭବନରେ ରାଜ୍ୟର ବରିଷ୍ଠ ସାମ୍ବାଦିକମାନଙ୍କ ସହିତ ସେମାନଙ୍କର ବିଭିନ୍ନ ସମସ୍ୟା ଓ ସେସବୁର ସମାଧାନ ସଂପର୍କରେ ବିଶଦ୍ ଭାବେ ଆଲୋଚନା କରିଛନ୍ତି । ବୈଠକରେ ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଅନୂଜ କୁମାର ଦାସ ପଟ୍ଟନାୟକ, ବିଭାଗର ନିର୍ଦ୍ଦେଶକ(ବୈଷୟିକ ) ଗୁରବୀର ସିଂ ଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା ।
ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ମୁଦ୍ରିତ ,ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଓଡ଼ିଶାରେ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଯେଉଁ ଯେଉଁ ଦାବୀ ଉପସ୍ଥାପନ କରିଛନ୍ତି, ସେ ସମ୍ପର୍କରେ ଅଧିକ ବିଚାରବିମର୍ଶ ପୂର୍ବକ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ବୈଠକରେ ସାମ୍ବାଦିକମାନଙ୍କ ସୁରକ୍ଷା ଆଇନ୍ ପ୍ରଣୟନ କରାଯିବା, ବରିଷ୍ଠ ସାମ୍ବାଦିକମାନଙ୍କ ନିମନ୍ତେ ପେନ୍ସନ୍ ବ୍ୟବସ୍ଥା, ସାମ୍ବାଦିକମାନଙ୍କୁ ଅଧିସ୍ୱୀକୃତି ପ୍ରଦାନ କରାଯିବା, ସାମ୍ବାଦିକ କଲ୍ୟାଣ ପାଣ୍ଠିରେ ରହିଥିବା ବ୍ୟବସ୍ଥା ଅନୁସାରେ ସାମ୍ବାଦିକ ଓ ସେମାନଙ୍କର ପରିବାରଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସମ୍ପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ଲୋକସେବା ଭବନକୁ ପ୍ରବେଶ ପାଇଁ ଆବେଦନ କରୁଥିବା ସାମ୍ବାଦିକମାନଙ୍କୁ ପରିଚୟ ପତ୍ର ପ୍ରଦାନ କିପରି ଶୀଘ୍ର ଓ ସରଳୀକରଣ ହୋଇପାରିବ, ସେ ସଂପର୍କରେ ବିଭାଗକୁ ପରାମର୍ଶ ଦିଆଯାଇଥିଲା । ସରକାରଙ୍କ ପ୍ରଚାର ପ୍ରସାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମାନୁପାତିକ ହାରରେ ପ୍ରକାଶ ପାଉଥିବା ବିଭିନ୍ନ ଦୈନିକ ଓ ସାପ୍ତାହିକ ସମ୍ବାଦପତ୍ରଗୁଡିକୁ ବିଜ୍ଞାପନ ପ୍ରଦାନ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା ।
ସ୍ୱାସ୍ଥ୍ୟବୀମାରେ ରହିଥିବା ବିଭିନ୍ନ ସୁବିଧା, ସହାୟତା ଓ ପ୍ରକ୍ରିୟା ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଯିବା ପାଇଁ ସଂପୃକ୍ତ ବୀମା କମ୍ପାନୀର ତୃତୀୟ ପକ୍ଷ ସଂସ୍ଥା(ଟିପିଏ) ସହିତ ଏକ ବୈଠକ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରୟାସରେ ରାଜ୍ୟର ମୋଟ ୭୪୮୬ ଜଣ ସାମ୍ବାଦିକଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ୨୦୨୧-୨୦୨୪ ବର୍ଷ ମଧ୍ୟରେ ସମୁଦାୟ ୮୦ ଜଣ ମୃତ ସାମ୍ବାଦିକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଇଛି । କୋଭିଡ୍ ରେ ମୃତ୍ୟୁବରଣ କରିଥିବା ୪୯ ଜଣ ସାମ୍ବାଦିକଙ୍କ ପରିବାରଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ପ୍ରତ୍ୟେକ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ସନତ ମିଶ୍ର, ପୀତବାସ ମିଶ୍ର ଏବଂ ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା