ଭୁବନେଶ୍ୱର, ୩୦ ଜୁଲାଇ (ହି.ସ)- ମହିଳାଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ନିଜ ଦୋଷ, ଦୁର୍ବଳତା, ଅପାରଗତା ଏବଂ ପକ୍ଷପାତିତାକୁ ଘୋଡ଼ାଇବାକୁ ଯାଇ ବିଜେପି ଦଳ ଓ ବିଜେପି ସରକାର ନାଟକବାଜୀ କରୁଥିବାରୁ ତାର ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହିଳା କଂଗ୍ରେସର ସଭ୍ୟାମାନେ ଚୂଡ଼ି ଧରି ପ୍ରତିବାଦ କରିଥିଲେ । କଂଗ୍ରେସ କାର୍ଯ୍ୟାଳୟରୁ ଏକ ବିକ୍ଷୋଭ ରାଲି ମାଷ୍ଟରକ୍ୟାଂଟିନ ଛକଦେଇ ଜନପଥରେ ଯାଉଥିଲା ବେଳେ ରାସ୍ତାରେ ପୋଲିସ ଏହି ରାଲିର ପଥ ଅବରୋଧ କରିଥିଲା । ପୋଲିସ ବାରିକେଡ ଭାଙ୍ଗି ଅଗ୍ରସର ହେଉଥିବାବେଳେ ମହିଳା କଂଗ୍ରେସ ସଭାନେତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତାଙ୍କୁ ପୋଲିସ ଘଟଣାସ୍ଥଳରୁ ଉଠାଇ ନେଇଥିଲା । ବର୍ଷାରେବି ଏକଘଣ୍ଟା ଧରି ପୋଲିସ ସହ ମହିଳା କଂଗ୍ରେସ କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା ।
ଏହି ଅବସରରେ ଶ୍ରୀମତୀ ବାହିନୀପତି କହିଛନ୍ତି ଯେ ବିଜେପି ପକ୍ଷରୁ କଂଗ୍ରେସକୁ ବଳାତ୍କାରୀ ଦଳ କୁହାଯାଇଛି । ତେବେ ମହିଳାଙ୍କୁ ବଳାତ୍କାର, ଗଣବଳାତ୍କାର, ହତ୍ୟା ଓ ନିର୍ଯାତନା ବିଜେପି ସରକାରରେ ହିଁ ଅନିୟନ୍ତ୍ରିତ ହୋଇପଡ଼ିଛି । ଛାତ୍ର କଂଗ୍ରେସ ସଭାପତିଙ୍କ ନାମରେ ଅଭିଯୋଗ ପରେ ଦଳପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି । ତାଙ୍କର ଦୋଷ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ । ମାତ୍ର ବିଜେପିର ରାଜ୍ୟ ସଭାପତିଙ୍କ ଇତିହାସ କ’ଣ ତାହା ରାଜ୍ୟବାସୀ ଜାଣନ୍ତି । ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ବିଜେପି ରାଜ୍ୟ କାର୍ଯାଳୟ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଆଗରେ ବିକ୍ଷୋଭ କରିବା ଉଚିତ। ବିଜେପି ସଭାପତିଙ୍କ କୁଶପୁତଳିକା ବିଜେପି କାର୍ଯାଳୟ ଆଗରେ ପୋଡ଼ା ହେବା ଉଚିତ । ତାହାହେଲେ ଜଣାପଡ଼ିବ ଯେ ବିଜେପି ଦଳର ମହିଳାମାନଙ୍କ ପ୍ରତି ମର୍ଯାଦା ଓ ସମ୍ମାନ ଅଛି । ସରକାର ଏବଂ ବିଜେପି ଦଳ ଦୁଷ୍କର୍ମକାରୀଙ୍କ ସପକ୍ଷରେ ରହୁଛନ୍ତି ବୋଲି ତାଙ୍କର କାର୍ଯ୍ୟଧାରାରୁ ସ୍ପଷ୍ଟ ହୋଇପଡ଼ୁଛି । ସୁତରାଂ ଓଡ଼ିଶାର ମହିଳାଙ୍କୁ ସୁରକ୍ଷା ଏବଂ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ନମିଳିବା ପର୍ଯ୍ୟନ୍ତ ମହିଳା କଂଗ୍ରେସ ତାର ଲଢ଼େଇ ଜାରି ରଖିବ।
ଏହି ବିକ୍ଷୋଭରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା କଂଗ୍ରେସ ଏବଂ ପ୍ରଦେଶ କଂଗେସର ବରିଷ୍ଠ ନେତୃବର୍ଗ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା