ଭୁବନେଶ୍ୱର, ୩୦ ଜୁଲାଇ (ହି.ସ)- ଚଳିତ ଶିକ୍ଷାବର୍ଷ ୨୦୨୫-୨୬ର ଦ୍ୱିତୀୟ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଆସ ସ୍କୁଲ ଯିବା ଅଭିଯାନ, ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରାପଦ ପରିବେଶ ସୃଷ୍ଟି, ବାଳିକାମାନଙ୍କର ସୁରକ୍ଷା ଓ ନିରାପତା ପାଇଁ ସଚେତନତା ଓ କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ପାଇଁ ସୁରକ୍ଷାକୁ ସୁନିଶ୍ଚିତ କରିବା, ମାଆ ପାଇଁ ଗଛ ଟିଏ ୨.୦, କୈଶୋର ଛାତ୍ରୀମାନଙ୍କ ପାଇଁ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ୍ ର ବ୍ୟବସ୍ଥା ଓ ବିଦ୍ୟାଳୟରେ ପରିଷ୍କାର ଓ ପରିଚ୍ଛନ୍ନତା , ସ୍ୱଚ୍ଛତା ପକ୍ଷ ପାଳନ, ସୁରଭି, ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଜୋତା ଆଦି ଉପକରଣ ବିତରଣ, ଛାତ୍ରଛାତ୍ରୀମାନଙ୍କ କ୍ୟାରିୟର ଗଠନରେ ପିତାମାତାଙ୍କ ଭୂମିକା, ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଓ ଅଭିଭାବକ ଓ ଶିକ୍ଷକମାନଙ୍କର ଭୂମିକା ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା।
ଏଠାରେ ପ୍ରକାଶ ଥାଉକି, ଅଭିଭାବକ ଶିକ୍ଷକ ସମ୍ମିଳନୀ ରାଜ୍ୟବ୍ୟାପୀ ଗୋଟିଏ ଦିନରେ ଅନୁଷ୍ଠିତ ହେଉଛି । ଚଳିତ ବୈଠକରେ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ଉନ୍ନତିକରଣ ପ୍ରକ୍ରିୟାରେ ଗୋଷ୍ଠୀ ଓ ଅଭିଭାବକମାନେ ସମ୍ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ଶିକ୍ଷାର ମାନବୃଦ୍ଧି ନିମନ୍ତେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀମାନେ ଯୋଗଦାନ କରି ଏହାର ତଦାରଖ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା