ବଲାଙ୍ଗୀର, ୩୧ ଜୁଲାଇ(ହି.ସ.) – ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡ଼ା ଜବାହାରଲାଲ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ପ୍ରେମଚନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରେମଚନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ହିନ୍ଦୀ ଶିକ୍ଷକ ରଞ୍ଜିତ ମିଶ୍ର ନିଜ ବକ୍ତବ୍ୟରେ ମୁଂଶୀ ପ୍ରେମଚନ୍ଦଙ୍କ କାହାଣୀ ଗୁଡିକ ଆଜି ମଧ୍ୟ ଲେଖକଙ୍କ ଉଦ୍ଦେଶ୍ୟରେ ଏକ ଆହ୍ୱାନ ଭାବରେ ମୁଣ୍ଡ ଟେକି ଠିଆ ହୋଇଛି ବୋଲି କହିବା ସହ ତାଙ୍କର ଉପନ୍ୟାସ ଓ କାହାଣୀ ପାଇଁ ସେ ଚିର ଅମର ହୋଇ ରହିବେ ବୋଲି କହିଥିଲେ। ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ ନିଜ ବକ୍ତବ୍ୟରେ ସାମୟିକ ଘଟଣା ଓ ଆନ୍ଦୋଳନ ପ୍ରଭୃତ ପ୍ରଭାବ ପ୍ରେମଚନ୍ଦଙ୍କ କାହାଣୀ ଉପରେ ପଡିଥିଲା ବୋଲି କହିଥିଲେ। ଶିକ୍ଷକ କାହ୍ନୁଚରଣ ଧରୁଆ କାହାଣୀ 'ନମକ କା ଦାରୋଗା', ଶିକ୍ଷକ ପ୍ରଦୀପ ଦଣ୍ଡସେନା କାହାଣୀ 'ସଦଗତି' ଓ ଶିକ୍ଷୟତ୍ରୀ ସୁଷମା ମେହେର କାହାଣୀ 'ପୂଷ କି ରାତ' କହି ଶୁଣେଇଥିଲେ।ଏହି ଅବସରରେ ପ୍ରେମଚନ୍ଦ ସାହିତ୍ୟ ସମ୍ପର୍କିତ ଏକ କୁଇଜ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ଶିକ୍ଷୟିତ୍ରୀ ପ୍ରତିଶା ମିଶ୍ର କରିଥିବା ବେଳେ ଶିକ୍ଷୟତ୍ରୀ ସୁବାସିନୀ ସେଠି ଧନ୍ୟବାଦ ଦେଇଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟତ୍ରୀ ନିରୁ ବିଶ୍ୱାଳ, ପ୍ରଜ୍ଞା ପରମିତା ଖୁ୍ଆସ, ଅଶ୍ୱିନୀ ମହାଳିଙ୍ଗ, ସଂଜୀବ ମିଶ୍ର ଓ ସୁଜିତ ଦେହେରୀ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ