ସମ୍ବଲପୁର, ୩୧ ଜୁଲାଇ (ହି.ସ.) ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଏହାର ଅନ୍ତର୍ଜାତୀୟକରଣ ଓ ମାନରେ ଉନ୍ନତି ପଦକ୍ଷେପ ସ୍ୱରୂପ ଏଏସିଏସବି(ଆସୋସିଏସନ୍ ଟୁ ଆଡଭାନ୍ସ କଲେଜିଏଟ୍ ସ୍କୁଲ୍ସ ଅଫ୍ ବିଜନେସ୍) ସ୍ୱୀକୃତି ପାଇଁ ଅଗ୍ରସର କରିଛି।
ଏହି ଉଦ୍ଦେଶ୍ୟରେ ଅନୁଷ୍ଠାନର ନୂଆଦିଲ୍ଲୀ ଏବଂ ସମ୍ବଲପୁର କ୍ୟାମ୍ପସରେ ଏଏସିଏସବି ମାର୍ଗଦର୍ଶକ ପ୍ର. ତେଗୁହ୍ ଡର୍ଟାଟୋଂ(ଇଣ୍ଡୋନେସିଆ ବିଶ୍ୱବିଦ୍ୟାଳୟ) ପ୍ରତିଷ୍ଠାନ ର ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ର ଏବଂ କର୍ପୋରେଟ୍ ନିଯୁକ୍ତିଦାତାମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଯୋଗାଯୋଗ ବ୍ୟବସାୟ ଶିକ୍ଷାରେ ଏଏସିଏସବି୍ର ଗୁଣବତା ମାନଦଣ୍ଡ ଏବଂ ବାହ୍ୟ ମତାମତକୁ ପ୍ରତିଫଳିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତାଙ୍କ ପାଂଚ ଦିନିଆ ପରିଦର୍ଶନ ମଧ୍ୟରେ ସେ ଏକ ଗଭୀର ଶିକ୍ଷାଗତ ମୂଲ୍ୟାଙ୍କନ କରିଥିଲେ ଏବଂ ପ୍ରାରମ୍ଭିକ ସ୍ୱ-ମୂଲ୍ୟାଙ୍କନ ରିପୋର୍ଟ (ଆଇଏସ୍ଇଆର୍) ପାଇଁ ରୋଡ଼ମ୍ୟାପ୍ ପ୍ରସ୍ତୁତ କରିବାରେ ସହାୟତା କରିଥିଲେ।ଏକ ଐତିହାସିକ ପଦକ୍ଷେପ ଭାବରେ ଆଇଆଇଏମ୍ ସମ୍ବଲପୁର ଜୁଲାଇ ୨୮ରେ ନୂଆଦିଲ୍ଲୀ କ୍ୟାମ୍ପସ୍ରେ ଏଏସିଏସବି ଦକ୍ଷିଣ ଏସିଆ ଆଂଚଳିକ ମୁଖ୍ୟ ପ୍ରତାପ ଦାସଙ୍କୁ ମଧ୍ୟ ସ୍ୱାଗତ କରିଥିଲା। ଏହି ପରିଦର୍ଶନ ଅବସରରେ ଶ୍ରୀ ଦାସ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ର. ମହାଦେବ ଜୟସ୍ୱାଲଙ୍କୁ ଏକ ସମାରୋହରେ ଅବସରରେ ଏଏସିଏସବି ସଦସ୍ୟତା ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଆଇଆଇଏମ୍ ସମ୍ବଲପୁର ଅଧିକାରୀମାନଙ୍କ ସହିତ ଆଲୋଚନା ସମୟରେ ପ୍ର. ତେଗୁହ୍ ଡର୍ଟାଟୋ କହିଛନ୍ତି ଯେ, ଏକ ନୂତନ ପିଢ଼ିର ଆଇଆଇଏମ୍ ଭାବରେ ଏହି ପ୍ରତିଷ୍ଠାନ କୃତ୍ରିମ ବୁଦ୍ଧିମତାକୁ ଶିକ୍ଷା ଏବଂ ଶିଖିବାରେ ସମନ୍ୱିତ କରିବା ସାହସିକ ଏବଂ ଦୂରଦର୍ଶୀ ଶିକ୍ଷାଗତ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ