କେନ୍ଦୁଝର, ୩୧ ଜୁଲାଇ (ହି.ସ.) - ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିବା କେନ୍ଦୁଝର ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏକ ଭାବପୂର୍ଣ ପରିବେଶରେ କ୍ଷୁଦ୍ର ସମ୍ମିଳନୀ କକ୍ଷରେ ଆୟୋଜିତଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଶ୍ରୀ ଦେଓଙ୍କ ଉତ୍ସର୍ଗୀକୃତ ସେବାର ପ୍ରଶଂସା କରିଥିଲେ।
ଶ୍ରୀ ଦେଓଙ୍କ କାର୍ଯ୍ୟକାଳକୁ ପ୍ରଶଂସା କରିବାକୁ ଯାଇ ଜିଲ୍ଲାପାଳ ଶ୍ରୀ ସିଂହ ନିଜ ବକ୍ତବ୍ୟରେ ଜିଲ୍ଲାର ଆଦିବାସୀ ଏବଂ ଅବହେଳିତ ସମ୍ପ୍ରଦାୟ ପାଇଁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଶ୍ରୀ ଦେଓଙ୍କ ଆନ୍ତରିକ ଏବଂ ପ୍ରତିବଦ୍ଧ ପ୍ରୟାସ ପାଇଁ ପ୍ରଶଂସା କରିଥିଲେ। ଶ୍ରୀ ଦେଓ ସର୍ବଦା ତାଙ୍କର ଶାନ୍ତ ଆଚରଣ, କେନ୍ଦ୍ରିତ ଆଭିମୁଖ୍ୟ ଏବଂ ଦଳଗତ ମନୋଭାବ ପାଇଁ ଜଣାଶୁଣା। ବିଭିନ୍ନ ଛାତ୍ରବୃତି ଏବଂ ଛାତ୍ରାବାସ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସଶକ୍ତିକରଣ ଏବଂ ଗତ ୨୦୨୪ ସାଧାରଣ ନିର୍ବାଚନ ସମୟରେ ମିଳିଥିବା ଦାୟିତ୍ୱ ସୁଚାରୁରୂପେ ତୁଲାଇବାରେ ତାଙ୍କର ଅବଦାନ ପ୍ରଶଂସନୀୟ ବୋଲି ମଧ୍ୟ କହିଥିଲେ।
ଏହି ଅବସରରେ ଶ୍ରୀ ପ୍ରବୀର କୁମାର ଦେଓ ଜିଲ୍ଲା ପ୍ରଶାସନ ଏବଂ ତାଙ୍କ ସହକର୍ମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। କେନ୍ଦୁଝରରେ ସେବା କରିବା ଏକ ସୌଭାଗ୍ୟର କଥା ଓ ଏଠାରେ ପାଇଥିବା ଭଲପାଇବା ଏବଂ ସହଯୋଗ ସର୍ବଦା ତାଙ୍କ ହୃଦୟରେ ରହିବା ସହ କାର୍ଯ୍ୟକାଳ ମଧ୍ୟରେ ସମର୍ଥନ ପାଇଁ ଜିଲ୍ଲାପାଳ ଏବଂ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ଉତରୀୟ ଓ ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରି ଶ୍ରୀ ଦେଓଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅବସରକାଳୀନ ଜୀବନ ସୁଖରେ କାଟିବା ପାଇଁ ଶୁଭେଚ୍ଛା ଜଣାଇଥିଲେ।
ସୂଚନାଯୋଗ୍ୟ ଶ୍ରୀ ଦେଓ ୧୯୯୦ ମସିହାରେ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାବେ ନିଜ ଚାକିରୀ ଆରମ୍ଭ କରି ପରେ ଗଞ୍ଜାମ, ଝାରସୁଗୁଡା ଓ କେନ୍ଦୁଝରରେ ସୁଚାରୁରୂପେ ନିଜ ଦାୟିତ୍ୱ ସମ୍ପାଦନ କରି ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସା ସାଉଁଟିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA