ସମ୍ବଲପୁର, ୩୧ ଜୁଲାଇ (ହି.ସ.)- ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାଶ୍ୱର୍ ଡାଇକ୍ ର ୩ଟି ଓ ଡାହାଣ ପାଶ୍ୱର୍ ଡାଇକ୍ ର ଗୋଟିଏ ସ୍ଲୁଇସ୍ ଗେଟ୍ ଖୋଲା ରହିଛି । ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳ ପତନ ୬୧୦.୧୦ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୯୭ ହଜାର ୨୪୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ କରୁଥିଲା ବେଳେ ୪ଟି ସ୍ଲୁଇସ୍ ଗେଟ୍, ସ୍ପିଲୱେ ଓ ପାୱାର ଚେନେଲ ଦେଇ ପ୍ରତି ସେକେଣ୍ଡରେ ୯୮ ହଜାର ୯୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଆଜି ସକାଳ ୮ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ ସନ୍ଧ୍ୟା ସୁଦ୍ଧା ପର୍ଯ୍ୟାୟ କ୍ରମେ ୮ଟି ସ୍ଲୁଇସ୍ ଗେଟ୍ କୁ ବନ୍ଦ କରାଯାଇଛି । ସେହିପରି ଗତ ୨୪ ଘଂଟା ମଧ୍ୟରେ ଉପର ମୁଣ୍ଡରେ ୨.୧୨ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବେଳେ ତଳ ମୁଣ୍ଡରେ ୦.୪୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ପ୍ରକାଶ ଥାଉକି, ଜୁଲାଇ ୬ ତାରିଖ ଠାରୁ ହୀରାକୁଦ ଜଳଭଣ୍ଡାରରୁ ଛଡାଯାଉଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି । ବିଶେଷ କରି ଉପର ମୁଣ୍ଡର ପାଣି ଉପରେ ନିର୍ଭର କରି ହୀରାକୁଦର ସ୍ଲୁଇସ୍ ଗେଟ୍ ଖୋଲା ବନ୍ଦରେ ପରିବର୍ତନ ହୋଇଥାଏ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ