ବଲାଙ୍ଗୀର, ୩୧ ଜୁଲାଇ(ହି.ସ.) – ମହିଳାମାନେ ଆମ ସମାଜର ସଂରକ୍ଷକ। ସେମାନଙ୍କ ସୁରକ୍ଷା ଓ ନିରାପତା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ବଳିଷ୍ଠ ଯୋଗଦାନ ହିଁ କୌଣସି ସମାଜର ଭୂୟୋବିକାଶର ପ୍ରଥମ ସୋପାନ। ଏଥିରେ ବ୍ୟତିକ୍ରମ କିନ୍ତୁ ଗ୍ରହଣୀୟ ନୁହେଁ। ତାଙ୍କୁ ବିଭିନ୍ନ ଅନାଚାରରୁ ରକ୍ଷା କରିବା ସଭ୍ୟ ସମାଜର ଦାୟିତ୍ୱ। ଏ ନେଇ ଏକ କର୍ମଶାଳା ସରକାରୀ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଆଇସିସି ବା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଚେୟାରମ୍ୟାନ ଡ. ଅର୍ପିତା ବେହେରାଙ୍କ ଆହ୍ୱାନ କ୍ରମେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଶୋଷଣର ପ୍ରତିବିଧାନ ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝା ସଭାପତିତ୍ୱ କରିଥିବା ବେଳେ ଡି.ଏସ.ପି ଶ୍ରୀମତୀ ତରାବତୀ ପ୍ରଧାନ ମୁଖ୍ୟବକ୍ତା ଏବଂ ଆଇସିସି ପ୍ରୀଜାଇଡିଂ ଅଫିସର ଭାରତୀ ନାଏକ ବିଶିଷ୍ଟ ବକ୍ତା ଭାବରେ ଯୋଗଦାନ କରିଥିଲେ। ବିଶେଷକରି ଛାତ୍ରୀ ତଥା କର୍ମଜୀବୀ ମହିଳାଙ୍କ ପ୍ରତି ଘଟୁଥିବା ଯୌନ ଶୋଷଣର ସଂଜ୍ଞା ନିରୂପଣ କରିଥିଲେ। ଏ ନେଇ ପ୍ରଚଳିତ ଆଇନର କାର୍ଯ୍ୟକାରିତା ତଥା ବିଭିନ୍ନ ଦଣ୍ଡବିଧାନ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କର୍ମଶାଳାରେ ବହୁସଂଖ୍ୟାରେ ଛାତ୍ରୀମାନେ ଉପସ୍ଥିତ ରହି ଥିବାବେଳେ ଅଧ୍ୟାପକ ଅଧ୍ୟାପିକାମାନେ ଏଦିଗରେ ସହଯୋଗ କରିଥିଲେ। ଉପରୋକ୍ତ କର୍ମଶାଳାକୁ ରତିକାନ୍ତ ନାଏକ ସଂଯୋଜନା କରିଥିବା ବେଳେ ସଂଯୁକ୍ତା କୁମାରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ