ଭୁବନେଶ୍ୱର,୩୧ ଜୁଲାଇ (ହି.ସ)- କଂଗ୍ରେସ ଭବନଠାରେ ଏଆଇସିସି ମାନବିଧିକାର ସଂଘଟନ ପକ୍ଷରୁ ପ୍ରାୟ ୧୫ ଗୋଟି ଜିଲ୍ଲାରୁ ଆସିଥିବା କର୍ମକର୍ତା ଓ ଶତାଧିକ ସ୍ୱେଛାସେବୀ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ଏଆଇସିସି ହ୍ୟୁମାନ ରାଇଟ୍ସ ଓଡିଶା ସଭାପତିଙ୍କ ଉପସ୍ଥିତିରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
ସଭା ଆରମ୍ଭରେ ହ୍ୟୁମାନ ରାଇଟ ସଙ୍ଘ ସଭାପତି ଶ୍ରୀ ଶତପଥୀ କର୍ମକର୍ତାଙ୍କ ପରିଚୟ ପ୍ରଦାନ କରି ଆମ ସଙ୍ଘ, କଂଗ୍ରେସ ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱ ପ୍ରତି ଦୃଢ ଆସ୍ଥା ନେଇ ଆସିଛି । କଂଗ୍ରେସ ବିଚାରଧାରା ସହିତ ଆମେ ଲୋକଙ୍କ ଅଧିକାର ଏବଂ ସମସ୍ୟାର ସମାଧାନ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟକରିବୁ ବୋଲି ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
ପିସିସି ସଭାପତି ଶ୍ରୀ ଦାସ ହ୍ୟୁମାନ ରାଇଟ୍ସର ସଭାକୁ ଉଦବୋଧନ ଦେଇ କହିଲେ ଯେ ରାଜ୍ୟର ୨୦ ଲକ୍ଷ ହିତାଧିକାରୀ ପଟ୍ଟା ପାଇବା ପାଇଁ ହକଦାର ଅଛନ୍ତି କିନ୍ତୁବର୍ତମାନ ପର୍ଯ୍ୟନ୍ତ ସେଇ ଅଧିକାର ସେମାନେ ପାଇ ନାହାନ୍ତି । ସରକାର ଲକ୍ଷ ଲକ୍ଷ ଏକର ଜମି କମ୍ପାନୀ ମାନଙ୍କୁ ଦେଉଥିବା ବେଳେ ଆଦିବାସୀ, ଅଣ ଆଦିବାସୀଙ୍କୁ ତାଙ୍କ ନ୍ୟାଯ୍ୟ ଅଧିକାର ଦେଉନାହିଁ । ଖଣି ଖାଦାନ ପାଇଁ ହଜାର ହଜାର ଲୋକଙ୍କୁ ବିନା ସରକାରୀ ଭରଣାରେ ନିଜ ଜଙ୍ଗଲ ଜମିରୁ ବିସ୍ଥାପିତ କରାଯାଉଛି ଏବଂ ଏଥିପାଇଁ ଏମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ । ବେଆଇନ ବିସ୍ଥାପନ, ଉତ୍କଟ ବେକାରୀ ସମସ୍ୟା ଏବଂ ନାରୀ ନିର୍ଯାତନା ବିରୁଦ୍ଧରେ ଘୋର ସଂଗ୍ରାମରେ ଅବତୀର୍ଣ ହେବାକୁ ପଡ଼ିବ ବୋଲି ହ୍ୟୁମାନ ରାଇଟ୍ସ ସ୍ୱେଛାସେବୀ ମାନଙ୍କୁ ପିସିସି ସଭାପତି ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି ।
ଉପକୂଳରେ ବର୍ତ୍ତମାନ କଂଗ୍ରେସ ଖୁବ ସକ୍ରିୟ ହେଲାଣି, ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏବେ ଉତ୍ସାହ ଜାଗ୍ରତ ହୋଇଛି, ମିଶ୍ରଣ ପର୍ବ ଚାଲିଛି । ସମସ୍ତଙ୍କ ସହଯୋଗରେ କଂଗ୍ରେସ ଶକ୍ତିଶାଳୀ ହୋଇ ପାରିବ । ସବଳ ହେଲେ ଆମେ ବିସ୍ଥାପିତ ଏବଂ ନାରୀଙ୍କ ପାଇଁ ଲଢେଇ କରି ତାଙ୍କୁ ନ୍ୟାୟ ପ୍ରଦାନ କରିପାରିବା ।
ଏଆଇସିସି ହ୍ୟୁମାନ ରାଇଟ୍ସର ସୁଖ ଦୁଃଖରେ କଂଗ୍ରେସ ସର୍ବଦା ଅଛି ତେଣୁ ଭବିଷ୍ୟତ କାର୍ଯ୍ୟପନ୍ଥା ସଠିକ ନିର୍ଣ୍ଣୟ କରି ଆଗକୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ସଭା ମଞ୍ଚରେ ପିସିସି ସଭାପତିଙ୍କ ସହ ହ୍ୟୁମାନ ରାଇଟ ଓଡିଶା ସଭାପତି ସୁରେନ ଶତପଥୀ, ଉପସଭାପତି ଡକ୍ଟର ଯତୀନ ଦିଗାଳ ଓ ଦେବୀ ପ୍ରସାଦ ମିଶ୍ର, ସଂଯୋଜକ ରାଜକିଶୋର ସାହୁ, ଅମିତ ମହନ୍ତ,ବାବୁ ଦଳବେହେରା ମଞ୍ଚାସୀନ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା