ଜୟପୁର, ୩୧ ଜୁଲାଇ (ହି.ସ.) - ଆସନ୍ତା ଅଗଷ୍ଟ ୦୨ ତାରିଖରେ କୋରାପୁଟ ଡିଭିଜନ ରେ ଡାକ ସେବା ବନ୍ଦ ରହିବ । ଡାକ ବିଭାଗ ଦ୍ୱାରା ବର୍ତମାନ ବ୍ୟବହୃତ ଏସଏପି ସଫ୍ଟୱେୟାର ବଦଳରେ ନିଜସ୍ୱ ଡିଜାଇନ ସହ ଆଧୁନିକ ଡ଼ାକବ୍ୟବସ୍ଥା ଓ ପ୍ରଯୁକ୍ତି (ଆଇଟି ୨.୦ ସଫ୍ଟୱେୟାର) ପ୍ରଚଳିତ ହେବାକୁ ଯାଉଛି। କୋରପୁଟ ଡାକ ଡିଭିଜନ ଅଧିନରେ ମାଲକାନଗିରି ଜିଲା ,କୋରାପୁଟ ଜିଲା ଓ ନବରଙ୍ଗପୁର ଜିଲାରେ ଥିବା ୨ଟି ମୁଖ୍ୟ ଡାକଘର, ୬୬ ଟି ଉପ ଡାକଘର, ୫୬୨ ଶାଖା ଡାକ ଘରେ ଡାକ ସେବା ବନ୍ଦ ରହିବ। କୋରାପୁଟ ଡିଭିଜନ ଅଧିନରେ ଥିବା ପ୍ରଧାନ ଡାକଘର,ସମସ୍ତ ଉପ-ଡାକଘର ସହ ତାଙ୍କ ଅଧିନସ୍ଥ ସମସ୍ତ ଶାଖା ଡାକଘର ମାନଙ୍କରେ ଆସନ୍ତା ମାସ ଅଗଷ୍ଟ ୪ ତାରିଖରୁ ଏହି ସଫ୍ଟୱେୟାର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ସଫ୍ଟୱେୟାର ପ୍ରଚଳନ ଦ୍ୱାରା ଡାକସେବା ଅଧିକ ତ୍ୱରାନ୍ୱିତ ହେବା ସଙ୍ଗେସଙ୍ଗେ ନେଟୱାର୍କ ସମସ୍ୟାର ସମାଧାନ ହୋଇପାରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି ।ଏଣୁ ବିଭାଗୀୟ ନିର୍ଦେଶ ଅନୁସାରେ ବୈଷୟିକ କାରଣରୁ ଡାକସେବା ବନ୍ଦ ରହିବ ବୋଲି କୋରାପୁଟ ଡାକ ଡିଭିଜିନ ତରଫରୁ ସୁଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି