ସମ୍ବଲପୁର, ୩୧ ଜୁଲାଇ (ହି.ସ.)
ସମ୍ବଲପୁର ସହରର ଧନୁପାଲି ଥାନା ଅଞ୍ଚଳରେ ଟ୍ରାଫିକ ନିୟମକୁ ଜଳାଞ୍ଜଳି ଦେଇ ଓଡି ୧୫ ଏହି ୩୬୬୮ ନମ୍ବର ସ୍କୁଟିରେ ୭ ଜଣ ବିପଜ୍ଜନକ ଅବସ୍ଥାରେ ଯାଉଥିବାର ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ପୁଲିସ ସ୍କୁଟିକୁ ଜବତ କରିଥିଲା। ତଦନ୍ତ ସମୟରେ ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା। ସ୍କୁଟି ଚାଳକ ଜଣକ କେବଳ ସାବାଳକ ଥିବା ବେଳେ ବାକି ୬ ଜଣ ନାବାଳକ ଥିବା ଜଣାପଡିଥିଲା। ଏହି ଘଟଣାରେ ୨୧ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା। ତେବେ ଏହାର ୨ ଦିନ ନ ପୂରୁଣୁ ପୁଣି ଆଜି ଅନୁରୂପ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ବାଇକରେ ବିପଦଜ୍ଜନକ ଅବସ୍ଥାରେ ୫ ଜଣ ବାଇକର ଯାଉଥିବା ଭିଡିଓ ଭାଇରାଲ ହୋଇଛି। ଯାହା ପରେ ପୁଲିସ ଗାଡ଼ି ମାଲିକକୁ ଧରିବା ସହିତ ୪୫୦୦ ଟଙ୍କା ଜରିମାନା ଆଦାୟ କରିଛି।ଘଟଣାଟି କ୍ଷେତରାଜପୁର ଥାନା ଅଞ୍ଚଳର। ଥାନା ସମ୍ମୁଖ ଦେଇ ରିଂ ରୋଡରେ ବୁଧବାର ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଗୋଟିଏ ବାଇକରେ ୫ ଯୁବକ ବେପରୁଆ ଭାବେ ଦ୍ରୁତଗତିରେ ଯାଉଥିଲେ। ନା ଟ୍ରାଫିକ ନିୟମର ଡର ଥିଲା ନା ପୁଲିସକୁ ଭୟ ଥିଲା। ଭିଡିଓ ଭାଇରାଲ ହେବା ପରେ ପୁଲିସ ଗୁରୁବାର ଉକ୍ତ ଗାଡି ଓ ଗାଡିର ମାଲିକକୁ ଧରିଛି। ନିୟମ ଉଲ୍ଲଂଘନ ପାଇଁ ଟ୍ରାଫିକ ପୁଲିସ ଦ୍ୱାରା ୪ ହଜାର ୫ ଶହ ଟଙ୍କାର ଜରିମାନା କରାଯାଇଛି ବୋଲି ପୁଲିସ କହିଛି।ଏସବୁ ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ, ସମ୍ବଲପୁର ପୁଲିସ, ଟ୍ରାଫିକ ଓ ପ୍ରଶାସନକୁ ଅମାନିଆମାନେ ଖାତିର କରୁ ନାହାନ୍ତି। ଯଦି ଥାନା ସମ୍ମୁଖରେ ସ୍ପଷ୍ଟ ଦିବାଲୋକରେ ଏଭଳି ନିୟମ ଉଲ୍ଲଂଘନ ହେଉଛି ତା’ହେଲେ ଅନ୍ୟ ସ୍ଥାନଗୁଡିକର ସ୍ଥିତି ସହଜେ ଅନୁମେୟ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ