ପୁରୀ, ୩୧ ଜୁଲାଇ (ହି.ସ.)- ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ଉଦ୍ୟୋଗପତି ମାନେ ରାଜ୍ୟ ଓ ଦେଶର ଅର୍ଥନୀତିକୁ ସୁଦୃଢ଼ କରିଥାନ୍ତି । ତେଣୁ ଏହିଭଳି କର୍ମଶାଳା ମାଧ୍ୟମରେ ସେମାନଙ୍କ ମନରେ ଥିବା ବିଭିନ୍ନ ସଂଶୟ ଓ ସନ୍ଦେହ କୁ ବିଶେଷଜ୍ଞ ମାନଙ୍କ ଦ୍ୱାରା ଦୂର କରି ପାରିବେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା । ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଗୁଣାତ୍ମକ ପ୍ରମାଣପତ୍ର ଉପରେ ବିକ୍ରେତା ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ପିଲା ମାନେ ଶିକ୍ଷା ଲାଭ ପରେ ଚାକିରୀ ପଛରେ ଧାଉଁଥିଲେ । କିନ୍ତୁ ବର୍ତମାନ ଅନେକ ପିଲା ଉଦ୍ୟୋଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିବା ସହ ଅନେକଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହେଉଛନ୍ତି । ତେଣୁ ଉଦ୍ୟୋଗପତି ମାନେ ଯେପରି ଆହୁରି ସଫଳ ହେବେ ଓ ନୂତନ ଉଦ୍ୟୋଗପତି ସୃଷ୍ଟି ହେବେ, ସେମାନଙ୍କ ସମସ୍ୟାର ସମାଧାନ ଏହି ଅଭିଯାନର ଲକ୍ଷ୍ୟ ।ଏଥିରେ ଉପସ୍ଥିତ ଉଦ୍ୟୋଗୀ ମାନେ ଏହା ଦ୍ୱାରା ଉଦବୁଦ୍ଧ ହୋଇ ପାରିଛନ୍ତି ବୋଲି ସେ ମତ ଦେଇଥିଲେ । ଜିଲ୍ଲା ଶିଳ୍ପକେନ୍ଦ୍ର ର ମହା ପ୍ରବନ୍ଧକ ମାନସ କୁମାର ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯାନରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଉପସ୍ଥିତ ଥିଲେ । ଭାରତୀୟ ଗୁଣାତ୍ମକ ପରିଷଦ ଓ ଜାତୀୟ ଉତ୍ପାଦକତାର ବିଶେଷଜ୍ଞ ବା ଏକ୍ସପର୍ଟ ଭାବେ ଶ୍ୟାମ ପ୍ରସାଦ, ଦେବନ ଦାସମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରମାଣପତ୍ର ପ୍ରକ୍ରିୟା ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ବ୍ୟବସାୟିକ କାର୍ଯ୍ୟରେ ଏହି ଗୁଣାତ୍ମକ ମାନ ଗୁଡିକୁ ସମନ୍ୱିତ ପଦକ୍ଷେପ ଓ ଦୃଶ୍ୟମାନ ଲାଭ ସମ୍ପର୍କରେ ଆଲୋକପାତ କରିଥିଲେ । ଆଇଏସଓ, ଲିନ,ଏବଂ ଜେଡ ପ୍ରମାଣପତ୍ରର ପରିବର୍ତନକାରୀ ସମ୍ଭାବନା ଉପରେ ସୂଚନା ଦିଆଯାଇଥିଲା ।
ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ଉଦ୍ୟୋଗପତି ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ