ବ୍ରଙ୍କୋସ୍କୋପି ବ୍ୟବସ୍ଥା ସାଜିଛି ଦେବଦୂତ -୧୦ ମାସରେ ରକ୍ଷା ହେଲାଣି ୯୧ ଶିଶୁଙ୍କର ଜୀବନ
ଭୁବନେଶ୍ୱର,୩୧ ଜୁଲାଇ (ହି.ସ)- ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା କଟକ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ରୋଗ ସ୍ନାତକୋତର ପ୍ରତିଷ୍ଠାନ (ଶିଶୁ ଭବନ) ରେ ଆରମ୍ଭ କରାଯାଇଥିବା ବ୍ରଙ୍କୋସ୍କୋପି ବ୍ୟବସ୍ଥା ନିରୀହ ଶିଶୁମାନଙ୍କର ସଠିକ୍ ଚିକିତ୍ସା ଓ ଜୀବନ ରକ୍
ବ୍ରଙ୍କୋସ୍କୋପି ବ୍ୟବସ୍ଥା ସାଜିଛି ଦେବଦୂତ -୧୦ ମାସରେ ରକ୍ଷା ହେଲାଣି ୯୧ ଶିଶୁଙ୍କର ଜୀବନ


ଭୁବନେଶ୍ୱର,୩୧ ଜୁଲାଇ (ହି.ସ)- ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା କଟକ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ରୋଗ ସ୍ନାତକୋତର ପ୍ରତିଷ୍ଠାନ (ଶିଶୁ ଭବନ) ରେ ଆରମ୍ଭ କରାଯାଇଥିବା ବ୍ରଙ୍କୋସ୍କୋପି ବ୍ୟବସ୍ଥା ନିରୀହ ଶିଶୁମାନଙ୍କର ସଠିକ୍ ଚିକିତ୍ସା ଓ ଜୀବନ ରକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିଛି । ୨୦୨୪ ମସିହା ସେପ୍େଟମ୍ବର ମାସରୁ ନବୀକୃତ ଭାବେ କାର୍ଯ୍ୟକ୍ଷମ କରାଯାଇଥିବା ଏହି ବ୍ୟବସ୍ଥା ଦ୍ୱାରା ଆଜି ପର୍ଯ୍ୟନ୍ତ ପ୍ରାୟ ୯୧ ରୁ ଅଧିକ ସଙ୍କଟାପନ୍ନ ଶିଶୁଙ୍କର ଜୀବନ ରକ୍ଷା କରାଯାଇ ପାରିଛି ବୋଲି ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର କହିଛନ୍ତି ।

ଆଧୁନିକ ବ୍ରଙ୍କୋସ୍କୋପି ପଦ୍ଧତି ମୁଖ୍ୟତଃ ୨ ଟି କାର୍ଯ୍ୟରେ ସଫଳ ଭାବେ ପ୍ରୟୋଗ କରାଯାଇଛି – (କ) ସଙ୍କଟାପନ୍ନ ଶିଶୁମାନଙ୍କର ତତକ୍ଷଣାତ୍ ଜୀବନ ରକ୍ଷାକାରୀ ଚିକିତ୍ସା, (ଖ) ସଠିକ୍ ରୋଗ ନିରୂପଣ । ଅନେକ ସମୟରେ ଶିଶୁମାନେ କିଛିଜିନିଷ ନାକ ପାଟି ବାଟେ ଭିତରକୁ ପୁରେଇ ଦିଅନ୍ତି। ଶ୍ୱାସନଳୀରେ ଅଟକି ଯାଉଥିବା ଏହି ସବୁ ପଦାର୍ଥ ତାଙ୍କୁ ଶ୍ୱାସରୁଦ୍ଧ କରିବା ସହ ଫୁସଫୁସକୁ ବହୁଭାବେ କ୍ଷତିଗ୍ରସ୍ତ କରାଏ । ଫଳରେ ଶିଶୁର ମୃତ୍ୟୁ ହେବା ଆଶଙ୍କା ଥାଏ ।

ତଂଟି ଓ ଛାତିର ଏକ୍ସରେ ବା ସ୍କାନିଂରୁ ଶ୍ୱାସନଳୀରେ କୌଣସି ପଦାର୍ଥ ଥିବା ମୋଟାମୋଟି ଜଣାପଡିବା ପରେ ବ୍ରଙ୍କୋସ୍କୋପି ପଦ୍ଧତିରେ ଫ୍ଲେକ୍ସିବୁଲ ଫାଇବର ଅପ୍ଟିକ୍ସ ଦ୍ୱାରା ଶ୍ୱାସନଳୀରେ ଥିବା ବାହ୍ୟ ବସ୍ତୁକୁ ସଠିକ୍ ଭାବେ ଠାବ କରାଯାଏ । ତାପରେ ନିର୍ଦ୍ଧାରିତ ପଦ୍ଧତି ଅନୁସରଣ କରି ଡର୍ମିଆ ବାସ୍କେଟ ଦ୍ୱାରା ସମ୍ପୃକ୍ତ ଶିଶୁର ଶ୍ୱାସନଳୀରୁ ସେ ପଦାର୍ଥକୁ ବାହାର କରାଯାଏ । ସମୁଦାୟ ପ୍ରକ୍ରିୟା ବିନା ଅସ୍ତ୍ରୋପଚାରରେ ହୋଇଥାଏ । ଶିଶୁର ଦେହରୁ ରକ୍ତକ୍ଷୟ ହୁଏନାହିଁ । ଶିଶୁ ଶୀଘ୍ର ଆରୋଗ୍ୟ ଲାଭ କରେ। ଏହା ଛଡ଼ା ବ୍ରଙ୍କ୍ରୋ-ଆଲଭିଓଲାର ଲାଭେଜ୍ (ବି.ଏ.ଏଲ୍‌) ଏବଂ କଫ ବିଶ୍ଳେଷଣ ଆଦି ରୋଗ ନିରୂପଣ ପରୀକ୍ଷା ନିରୀକ୍ଷା ନିମନ୍ତେ ମଧ୍ୟ ବ୍ରଙ୍କୋସ୍କୋପି ପଦ୍ଧତି ପ୍ରୟୋଗ କରାଯାଏ ।

ଗତ ବର୍ଷ ସେପ୍େଟମ୍ବର ମାସରେ ଏହି ବ୍ୟବସ୍ଥାର ନବୀକରଣ କରାଯାଇଥିଲା । ଏହା ଫଳରେ ଆଜି ପର୍ଯ୍ୟନ୍ତ ୧୬ ଜଣ ସଙ୍କଟାପନ୍ନ ଶିଶୁଙ୍କର ଅମୂଲ୍ୟ ଜୀବନ ରକ୍ଷା ହୋଇଛି। ଏହି ପିଲାମାନଙ୍କର ବୟସ ୩ ମାସରୁ ୧୨ ବର୍ଷ ମଧ୍ୟରେ ଥିଲା ବୋଲି ଜଣାପଡିଛି । ବ୍ରଙ୍କୋସ୍କୋପି ମାଧ୍ୟମରେ ସେମାନଙ୍କ ଶ୍ୱାସନଳୀରୁ ଖେଳନା ମୋବାଇଲରେ ଲାଗୁଥିବା ଏଲ୍‌.ଇ.ଡି ବଲବ୍‌, ଦେଢ଼ ଇଞ୍ଚ ଲମ୍ବ କଳଙ୍କି ଲଗା ପିରକ କଣ୍ଟା, ଲକେଟ୍‌, ଲିଚୁ ଲାଇଟ୍ ବଲବ୍‌, ବାଦାମ, କାଜୁ, ଗୁଆ, ହୁଇସିଲ ଭିତର ଅଂଶ, କାନଫୁଲ, କଜଳ ଡବାର ଖୋଳ ଆଦି ପଦାର୍ଥ ବାହାର କରାଯାଇଛି ।

ଏହି ପଦ୍ଧତି ପ୍ରୟୋଗ ସମୟରେ ଯେ କୌଣସି ପ୍ରକାର ସ୍ଥିତିର ତତକ୍ଷଣାତ୍ ମୁକାବିଲା କରି ଶିଶୁର ଜୀବନ ରକ୍ଷା ନିମନ୍ତେ ଆଗୁଆ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନିଆଯାଏ । ଏଥିପାଇଁ ଶିଶୁଙ୍କୁ ପେଡିଆଟ୍ରିକ୍ ଇଣ୍ଟେନସିଭ କେୟାର ୟୁନିଟ(ପି.ଆଇ.ସି.ୟୁ) ବା ଅପରେସନ ଥିଏଟର ପରିବେଶରେ ରଖାଯାଏ । ପି.ଆଇ.ସି.ୟୁ ର ପ୍ରଫେସର ବିଜୟ କୁମାର ମେହେର ଏବଂ ସହ ପ୍ରଫେସର ସାର୍ଥକ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ରଙ୍କୋସ୍କୋପି କରାଯାଏ । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଇ.ଏନ୍‌.ଟି ବିଭାଗ ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଜ୍ୟୋସ୍ନା ଅର୍ପିତା ସାହୁ, ନିଶ୍ଚେତକ ବିଭାଗ ସହ ପ୍ରଫେସର ଡାକ୍ତର ସୌମ୍ୟରଞ୍ଜନ ସେଠୀ ପ୍ରମୁଖଙ୍କୁ ଟିମରେ ସାମିଲ କରାଯାଏ ।

ଇତି ମଧ୍ୟରେ କଟକ ଶିଶୁ ଭବନରେ ବ୍ରଙ୍କୋସ୍କୋପି ପଦ୍ଧତତିକୁ ଆନୁଷ୍ଠାନିକରଣ କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ଅତ୍ୟାବଶ୍ୟକୀୟ ଭିଲିଭୂମି ଓ ସୁବିଧା ଯୋଗାଇ ଦିଆଯାଇଛି। ଆସିଷ୍ଟାଣ୍ଟ ପ୍ରଫେସର ଓ ଷ୍ଟାଫ୍ ମଧ୍ୟ ତାଲିମପ୍ରାପ୍ତ ହୋଇଛନ୍ତି । ଦିନକୁ ଦିନ ଏହା ଅଧିକ ଅଧିକ ଉତ୍କୃଷ୍ଟ ଓ ଫଳପ୍ରସୁ ହେବ ବୋଲି ଅଧ୍ୟକ୍ଷ ପ୍ରଫେସର ମିଶ୍ର ଆଶା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande