ଧର୍ମଶାଳା, ୩୧ ଜୁଲାଇ (ହି.ସ.)- ଯାଜପୁର ଜିଲା ରସୁଲପୁର, ଧର୍ମଶାଳ, ବଡଚଣ। ଓ ବରୀ ବ୍ଲକର ହଜାର ହଜାର ଅଗ୍ରଣୀ ଚାଷୀ ଚାଷ ଉପରେ ନିର୍ଭର କରନ୍ତି । ହେକ୍ଟର ହେକ୍ଟର ଚାଷ ଜମିରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଅମଳ କରି ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ସେମାନଙ୍କ ଜୀବନଜିବିକା ଆଖୁଆ ନାଳ ଉପରେ ନିର୍ଭର । ଏହି ଆଖୁଆ ନାଳ ସେମାନଙ୍କ ମୁଖ୍ୟ ମେରୁଦଣ୍ଡ । ସେହି ଆଖୁଆ ନାଳ ଏବେ ବିଲୁପ୍ତ ହେବାକୁ ବସିଲାଣି । ଆଉ କିଛି ଦିନ ପରେ ଏହି ନାଳ ସମସ୍ତଙ୍କ ପାଇଁ କାଳ ହୋଇ ରହିଯିବ । ଚାଷୀଙ୍କଠାରୁ ଆରମ୍ଭ କରି ଗୃହପାଳିତ ପଶୁମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଏହି ଘଟଣାକୁ ନେଇ ଶତାଧିକ କ୍ଷୁଦ୍ର ଓ ଅଗ୍ରଣୀ ଚାଷୀ ବରୀର ତତ୍କାଳୀନ ବିଧାୟିକା ସୁନନ୍ଦା ଦାସଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ । ବିଧାୟିକାଙ୍କ ପ୍ରଚେଷ୍ଟାରେ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ବିଭାଗୀୟ ତତ୍କାଳୀନ ମନ୍ତ୍ରୀ ଓ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ । ଆଖୁଆ ନାଳର ପୁନଃର୍ରୁଦ୍ଧାର ଓ ଜୟସୁଙ୍ଗୁଡା-ଆଖୁଆକୂଳ ଗ୍ରାମକୁ ସଂଯୋଗ କରୁଥିବା ନାଳ ଉପରେ ସେତୁର ଭିତିପ୍ରସ୍ତର ସମେତ ବ୍ରାହ୍ମଣୀ ନଦୀରୁ ବାହାରି ବିରୂପା ନଦୀରେ ମିଶିଥିବା ଏହି ନାଳ ଓ ବିଭିନ୍ନ ସ୍ଥାନରେ ୪ଗୋଟି ଛୋଟ ଛୋଟ ସେତୁ ପାଇଁ ୭ ଜୁଲାଇ ୨୦୨୩ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ରସୁଲପୁର ବ୍ଲକ ବନ୍ଧହିହ ପଂଚାୟତ ଅନ୍ତର୍ଗତ ଜୟସୁଙ୍ଗୁଡା ଗ୍ରାମ ନିକଟସ୍ଥ ବାବା ସପ୍ନେଶ୍ୱର ମନ୍ଦିର ପରିସରରେ ଭୂମି ପୂଜନ କରାଯାଇ ଶୁଭ ଶିଳାନ୍ୟାସ ଦିଆଯାଇଥିଲା । ଏହି ସମସ୍ତ କାର୍ଯ୍ୟ ମଇ ମାସ ୨୦୨୪ରେ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ଏହି ଛୋଟ ଛୋଟ ସେତୁ ଓ ନାଳର ପୁନଃର୍ରୁଦ୍ଧାର ହେଲେ ରସୁଲପୁର ବ୍ଲକ ସମେତ ଧର୍ମଶାଳା, ବରୀ ଓ ବଡଚଣା ବ୍ଲକର ହଜାର ହଜାର ଚାଷୀ ଉପକୃତ ହୋଇପାରିବେ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା । ଏହି ନାଳ ୧୧ କି.ମିି. ଦେଇ ଯାଇଥିବା ବେଳେ କିଛି ମାତ୍ରାରେ ନାଳରୁ ଦଳ ସଫା କରାଯାଇଥିଲା । ଏବଂ ୪ଟି ଛୋଟ ସେତୁ ମଧ୍ୟରୁ ୨ଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ୨ଟି ସେତୁ ୯୦ ପ୍ରତିଶତ କାମ ସରିଛି । କିଛି ସ୍ଥାନରେ ସଫା ହୋଇଥିବା ଦଳ ଏବେ ସବୁଆଡେ ଭର୍ତି ହୋଇ ଗଲାଣି । ଯାହାକି ନିକଟରେ ଏହା ଚାଷ କାର୍ଯ୍ୟ ଉପରେ ବେଶ୍ ପ୍ରଭାବ ପଡିବା ଯଥେଷ୍ଟ ସମ୍ଭାବନା ରହିଥିବା ଅଂଚଳର ଚାଷୀମାନେ ଅନୁଭବ କଲେଣି । ତେବେ ଅସମ୍ପୂର୍ଣ୍ଣ କାମ କେବେ ସରିବ ତାହା ଅନିଶ୍ଚିତତାଘେରକୁ ଚାଲି ଯାଇଛି । ସେତୁ ସମ୍ପୂର୍ଣ୍ଣ ସହ ନାଳରେ ଭର୍ତି ହୋଇଥିବା ନାଗ ଦଳ ସଫା କରିବା ଏବେ ଜରୁରୀ ହୋଇପଡିଛି ।
ସେତୁ କାମ ସମ୍ପୂର୍ଣ୍ଣ ସରିଛି । ପ୍ରଥମ ଟେଣ୍ଡରରେ ଦଳ ସଫା କରିବାର ବ୍ୟବସ୍ଥା ନ ଥିବା ତଥାପି ଚାଷୀ ଓ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କିଛି ମାତ୍ରାରେ ନାଗ ଦଳ ସଫା କରାଯାଇଥିଲା । ପୁନଃର୍ବାର ଅକ୍ଟୋବର ମାସ ବେଳକୁ ଆଉ ଗୋଟେ ଟେଣ୍ଡର କରାଯାଇ ଏହି ଆଖୁଆ ନାଳରୁ ସମ୍ପୂର୍ଣ୍ଣ ଭାବେ ଦଳ ସଫା କରାଯିବ ବୋଲି ଡ୍ରେନେଜ୍ ବିଭାଗର ଉପଖଣ୍ଡ ଅଧିକାରୀ ଶମ୍ଭୁ ପ୍ରକାଶ ମଲ୍ଲିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଏହି ଅସମ୍ପୂର୍ଣ୍ଣ କାମକୁ ତୁରନ୍ତ ଶେଷ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ