ଧର୍ମଶାଳା,୩୧ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । କର୍ମୀ କର୍ମୀ ଓ ନେତା ନେତାଙ୍କ ମଧ୍ୟ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଏବେ ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟ ମହିଳା ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଏନେଇ କଟକ ଜିଲା ବିଜେପି ସଂଖ୍ୟା ଲଘୁ ସଭାପତି ସିକନ୍ଦର ଅଲ୍ଲୀଙ୍କ ପତ୍ନୀ ଦିଲଜୋୟେ ଆଲାମ ଏନେଇ ଜେନାପୁର ଥାନାରେ ଅଭିଯୋଗ କରିଛନ୍ତି । ସିକନ୍ଦର ଧର୍ମଶାଳା ତହସିଲ ଅଧିନ ରାହାଡପୁର ଅଂଚଳରେ ଏକ କଳା ପଥର ଖାଦାନ ନିଲାମ ନେଇଛନ୍ତି । ଗତ ୧୮ତାରିଖରେ ସେ ରାହାଡପୁର ଅଂଚଳକୁ ଯାଇଥିଲେ । ମାତ୍ର ସେଠାରେ ସ୍ଥାନୀୟ ଲୋକେ ତାଙ୍କୁ ଓ ତାଙ୍କ ସହ ଯାଇଥିବା ଲୋକଙ୍କୁ ଦୀର୍ଘ ସମୟ ଧରି ଅଟକ ରଖି ମାଡ ମାରିଥିଲେ । ଏପରିକି ସେମାନେ ବ୍ୟବହାର କରୁଥିବା ଦୁଇଟି ମୋବାଇଲକୁ ଛଡାଇ ନେଇଥିଲେ । ପରେ ଜେନାପୁର ପୋଲିସ ଖବର ପାଇ ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଏହି ଖବର ପାଇ ସିକନ୍ଦରଙ୍କ ପତ୍ନୀ ମେଡିକାଲରେ ପଂହଚି ଥିଲେ । ଆକ୍ରମଣ ପଛରେ ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁଙ୍କ ହାତ ଥିବାରୁ ସେ ବିଧାୟକଙ୍କ ସହାୟତା ଲୋଡି ଥିଲେ । କିନ୍ତୁ ବିଧାୟକ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଳଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏଥି ସହ ରାହାଡପୁର ଅଂଚଳକୁ ନ ଆସିବାକୁ ଚେତାବନୀ ଦେଇଥିବା ସିକନ୍ଦରଙ୍କ ପତ୍ନୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ଏହି ଘଟଣା ଏବେ ଧର୍ମଶାଳା ନୁହେଁ ଯାଜପୁର ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଧର୍ମଶାଳା ବିଧାୟକ । ସେ ତାଙ୍କୁ ଜାଣି ନାହାନ୍ତି କି ଘଟଣାରେ ତାଙ୍କର କିମ୍ବା ତାଙ୍କ ସମର୍ଥକଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ବିଧାୟକ । ତେବେ ଏହି ଘଟଣା ଉପରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଧର୍ମଶାଳା ଅଂଚଳରେ ସବୁଠି ଆଲୋଚନା ହେଉଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ