ମୁଖୀଗୁଡା, ୪ ଜୁଲାଇ (ହି.ସ.)- ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥାଇ ଚେକ ପ୍ରଦାନ କରିବା ମହଙ୍ଗା ପଡିଛି । ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥାଇ ଚେକ ଦେଇଥିବାରୁ ଜେଏମଏଫସି କୋର୍ଟ ଜୟପାଟଣା ଅଭିଯୁକ୍ତକୁ ଏକ ବର୍ଷ କାରାଦଣ୍ଡ ଏବଂ ଦେଢ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କୁ ପ୍ରଦାନ କରିବା ପାଇଁ ଆଦେଶ ଦେଇଛନ୍ତି । କୋକସରା ଅନ୍ତର୍ଗତ କେନ୍ଦୁ ଦଙ୍ଗରି ଗ୍ରାମର ଅନୁପ ଯୋଶୀଙ୍କ ଠାରୁ ଜୟପାଟଣାଥାନା ଅନ୍ତର୍ଗତ ଭଇଁରିପାଲି ଗ୍ରାମର ପ୍ରଶନ୍ନ ବାଗ ଭଉଣୀ ବାହାଘର ଅଛି ବୋଲି କହି ଏକ ଲକ୍ଷ ପଚିଶ ହଜାର ଟଙ୍କା ଧାର ଆକାରରେ ନେଇଥିଲେ । ଉକ୍ତ ଟଙ୍କା ଫେରସ୍ତ ପାଇଁ ପ୍ରଶନ୍ନ ଅନୁପଙ୍କୁ ବିସିସିବି ଜୟପାଟଣା ବ୍ରାଞ୍ଚର ଏକ ଚେକ ପ୍ରଦାନ କରିଥିଲେ । ଅନୁପ ଚେକ ବ୍ୟାଙ୍କ ରେ ଡିପୋଜିଟ କରିବାରୁ ବ୍ୟାଙ୍କ ମ୍ୟାନେଜର ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ନଥିବା ଦର୍ଶାଇ ଚେକକୁ ଫେରସ୍ତ କରିଥିଲେ । ଅନୁପ ବାରମ୍ବାର ପ୍ରଶନ୍ନଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ ହେଁ କିଛି ସୁଫଳ ନମିଳିବାରୁ ଓକିଲ ଜରିଆରେ ନୋଟିସ କରିବା ପରେ ମଧ୍ୟ ପ୍ରଶନ୍ନ ବାଗ କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ଅନୁପ କୁମାର ଯୋଶୀ ଜେଏମଏଫସି କୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ଜେଏମଏଫସି କୋର୍ଟ ପ୍ରଶନ୍ନ ବାଗଙ୍କୁ ଏକ ବର୍ଷ କାରାଦଣ୍ଡ ଏବଂ ଅଭିଯୋଗକାରୀ ଅନୁପ କୁମାର ଯୋଶୀଙ୍କୁ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ ଦେଇଛନ୍ତି । ଟଙ୍କା ଫେରସ୍ତ ନକଲେ ତିନି ମାସ ଅଧିକ କାରାଦଣ୍ଡ ନେଇ ତାଙ୍କ ରାୟରେ ଶୁଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |