ନୂଆଦିଲ୍ଲୀ, ୦୯ ଜୁଲାଇ (ହି.ସ.) - କୃଷକ ମାନଙ୍କୁ ଉତମ ମୂଲ୍ୟ ପ୍ରଦାନ କରିବା ସହିତ କୃଷି ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଇ-ନାମ ପ୍ଲାଟଫର୍ମରେ ସାତଟି ନୂତନ ଉତ୍ପାଦ ଯୋଡ଼ିବାକୁ ଅନୁମୋଦନ କରିଛନ୍ତି । ଏହା କୃଷି ଉତ୍ପାଦନର କଭରେଜ୍ ବୃଦ୍ଧି କରିବା ଏବଂ ଚାଷୀ ଏବଂ ବ୍ୟବସାୟୀ ମାନଙ୍କୁ ଡିଜିଟାଲ ବାଣିଜ୍ୟ ପ୍ଲାଟଫର୍ମରୁ ଲାଭ ପାଇବା ପାଇଁ ଅଧିକ ସୁଯୋଗ ପ୍ରଦାନ କରିବା ଲକ୍ଷ ରଖିଛି । ଏହି ସାତଟି ଉତ୍ପାଦ ମଧ୍ୟରେ ଆଖୁ, ମାର୍ଚା ଚାଉଳ, କତରନି ଚାଉଳ, ଜର୍ଦାଲୁ ଆମ୍ବ, ଶାହି ଲିଚୁ, ମାଗହି ପାନ ଏବଂ ବନାରସୀ ପାନ ଅନ୍ତର୍ଭୁକ୍ତ । ଏହି ସାତଟି ଉତ୍ପାଦକୁ ମିଶାଇ ଇ-ନାମ ପ୍ଲାଟଫର୍ମରେ ଉତ୍ପାଦ ସଂଖ୍ୟା ଏବେ ୨୩୮କୁ ବୃଦ୍ଧି ପାଇଛି ।
ବୁଧବାର ଦିନ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୃଷି ମନ୍ତ୍ରଣାଳୟ କହିଛି ଯେ, ମାର୍କେଟିଂ ଏବଂ ଯାଂଚ ନିର୍ଦ୍ଦେଶାଳୟ (ଡିଏମଆଇ) ୭ଟି ଅତିରିକ୍ତ କୃଷି ଉତ୍ପାଦ ପାଇଁ ବାଣିଜ୍ୟଯୋଗ୍ୟ ମାପଦଣ୍ଡ ପ୍ରସ୍ତୁତ କରିଛି । ରାଜ୍ୟ ଏଜେନସି, ବ୍ୟବସାୟୀ, ବିଷୟବସ୍ତୁ ବିଶେଷଜ୍ଞ ଏବଂ ଏସଏଫଏସି ସମେତ ପ୍ରମୁଖ ଅଂଶୀଦାର ମାନଙ୍କ ସହିତ ବ୍ୟାପକ ପରାମର୍ଶ ପରେ ଏହି ନୂତନ ଉତ୍ପାଦ ମାନଦଣ୍ଡ ପ୍ରସ୍ତୁତ କରାଯାଇଛି । ଏହି ପଦକ୍ଷେପ ସ୍ୱଚ୍ଛତା ବୃଦ୍ଧି କରେ, ନିରପେକ୍ଷ ବାଣିଜ୍ୟ ଅଭ୍ୟାସକୁ ସହଜ କରେ ଏବଂ କୃଷି କ୍ଷେତ୍ରର ସାମଗ୍ରିକ ବିକାଶରେ ଯୋଗଦାନ ଦିଏ ।
ବାଣିଜ୍ୟଯୋଗ୍ୟ ପାରାମିଟର ସୃଷ୍ଟି ପ୍ରତ୍ୟେକ ଉତ୍ପାଦ ପାଇଁ ବର୍ଗ କିମ୍ବା ପରିସର ପ୍ରଦାନ କରେ ଏବଂ ଚାଷୀ ମାନଙ୍କୁ ଉତ୍ପାଦନର ଗୁଣବତା ଉପରେ ନିର୍ଭର କରି ଲାଭଦାୟକ ମୂଲ୍ୟ ପାଇବାରେ ସାହାଯ୍ୟ କରେ ।
ହିନ୍ଦୁସ୍ଥାନ ସମାଚାର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ