ଖୋର୍ଦ୍ଧା, ୧୦ ଅଗଷ୍ଟ (ହି.ସ.) - ବାଣପୁରର ଆରାଧ୍ୟା ଦେବୀ ଜଗତଜନନୀ ମା’ ଭଗବତୀଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦର୍ଶନ କରି ମା’ଙ୍କ କୃପା ଲାଭ କରିବା ସହ ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ରାଜ୍ୟ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହି ଅବସରରେ ରବିବାର ମା’ଙ୍କ ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ ଖୁବ ଶୀଘ୍ର ଏହାକୁ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଆରଏସଏସ ପକ୍ଷରୁ ଉଭୟ ମନ୍ତ୍ରୀଙ୍କୁ ରାକ୍ଷୀ ବନ୍ଧାଯାଇଥିଲା। ଉଭୟ ମନ୍ତ୍ରୀ ଙ୍କୁ ସ୍ଥାନୀୟ ପ୍ରଶାସନ ଦ୍ୱାରା ସ୍ୱାଗତ କରାଯାଇଥିବାବେଳେ, ଆସ୍କା ସାଂସଦ ଅନିତା ଶୁଭଦର୍ଶୀନି, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଭାଜପା ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ବେହେରାଙ୍କ ସମେତ ଦଳୀୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ