ଜୟପୁର, ୧୦ ଅଗଷ୍ଟ (ହି.ସ.) - ଆଜି ସ୍ଥାନୀୟ ଯାଦବ ଭବନ ଠାରେ ଇପିଏଫ୍ ପେନସନର୍ସ ଆସୋସିଏସନ୍ କୋରାପୁଟ ଜିଲ୍ଲା କମିଟିର ବୈଠକ ସ୍ଥାନୀୟ ଯାଦବ ଭବନ ଠାରେ ଶ୍ରୀ ନଳିନୀକାନ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକକୁ ଏଆଇଟିୟୁସି ର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ସମ୍ବୋଧିତ କରି କହିଥିଲେ ଯେ , ଇପିଏଫ୍ ପେନସନର୍ସ ମାନେ ମାସିକ ୯୦୦୦/ ଟଙ୍କା ପେନସନ ପାଇବା ପାଇଁ ଯୋଗ୍ୟ କାରଣ ସେମାନେ ପି ଏଫ୍ ପାଣ୍ଠିକୁ ଦେୟ ଦେଇଛନ୍ତି। ଏଥିପାଇଁ ବାମପନ୍ଥୀ ସାଂସଦ ମାନେ ପାର୍ଲ୍ୟାମେଂଟରେ ବାରମ୍ବାର ଦାବି କରୁଛନ୍ତି। ଅନ୍ୟ ଦଳର ସାଂସଦ ଏବଂ ଖୋଦ୍ ବିଜେପି ସାଂସଦ ମାନେ ମଧ୍ୟ ଦାବି କରୁଥିବା ସତ୍ୱେ କେନ୍ଦ୍ର ର ମୋଦୀ ସରକାର କର୍ଣ୍ଣପାତ କରୁନାହିଁ। ଏଥିପାଇଁ ସଡକରୁ ସଂସଦ ପର୍ଯ୍ୟନ୍ତ ବରାବର ଲଢେଇ ଜାରି ରଖିବାକୁ ହେବ ଏବଂ ଆନ୍ଦୋଳନ କୁ ଜୋର୍ ଦାର୍ କରିବାକୁ ହେବ। ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବା ପାଇଁ ସଂଘ କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ବିଷୟ ଶ୍ରୀ ନଳିନୀକାନ୍ତ ରଥ ପ୍ରକାଶ କରିଛନ୍ତି। ଆଜିର ବୈଠକରେ ସର୍ବଶ୍ରୀ ଜି ପ୍ରସାଦ ରାଓ,ଏ ଏସ୍ ରାଜୁ , ଏନ୍ ଏସ୍ ଆର୍ ମୁର୍ତି , ବସନ୍ତ ବେହେରା, ଏସ୍ କେ ପ୍ରଧାନ, ପ୍ରମୋଦ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି