ମାଲକାନଗିରି,୧୦ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ମାଳ ମାଳ ନକଲି ଡାକ୍ତର ରୋଗୀଙ୍କୁ ଶୋଷଣ କରୁଛନ୍ତି। ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବିଭିନ୍ନ ଗ୍ରାମରେ ବଢ଼ି ବଢ଼ି ଚାଲିଛି। ବିଶେଷ କରି ଏହି ବ୍ଲକର ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମପିଭି ୪୫ ଓ ଏମଭି ୭୮ ଗ୍ରାମର କିଛି ଲୋକ ବିଭିନ୍ନ ଗ୍ରାମରେ ନିଜକୁ ଡାକ୍ତର ଭାବେ ପରିଚୟ ଦେଇ ଲୋକଙ୍କୁ ଶୋଷଣ କରୁଛନ୍ତି। କିନ୍ତୁ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସେମାନେ ନିର୍ବିଘ୍ନରେ ନକଲି ଚିକିତ୍ସା ଜାରି ରଖିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମାଟ୍ରିକ ପାସ୍ କରିନଥିବା ବେଳେ ସାଲାଇନ ଓ ଇଂଜେକସନ ଆଦି ସବୁକିଛି ଡାକ୍ତରଙ୍କ ପରି ରୋଗୀଙ୍କୁ ଦେଉଛନ୍ତି। କେତେକ ସ୍ଥାନରେ ଅପହଞ୍ଚ ସ୍ୱାସ୍ଥ୍ୟସେବାର ସୁଯୋଗ ନେଇ ନକଲି ଡାକ୍ତର ରୋଗୀଙ୍କୁ ଶୋଷଣ କରୁଛନ୍ତି। ଏପରିକି ଡାକ୍ତରଖାନା ଥିବା ଗ୍ରାମରେ ମଧ୍ୟ ରୋଗୀମାନେ ଡାକ୍ତରଖାନା ନଯାଇ ନକଲି ଡାକ୍ତରଙ୍କ ପାଖକୁ ଯାଉଛନ୍ତି। ସାମାନ୍ୟ ଅସୁସ୍ଥ ଥିଲେ ସେମାନଙ୍କ ଔଷଧ ଦ୍ୱାରା ରୋଗୀ ସୁସ୍ଥ ହୋଇ ଯାଉଛନ୍ତି। କିନ୍ତୁ, କିଛି ଦିନ ପରେ ରୋଗ ପୁଣି ବାହାରୁଛି। ଫଳରେ ପରିବାର ଲୋକେ ତାଙ୍କୁ ଶେଷମୁହୂର୍ତ୍ତରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରୁଛନ୍ତି। ଏପରିକି କେତେକ ସ୍ଥାନରେ ଭୁଲ୍ ଚିକିତ୍ସା ଯୋଗୁ ରୋଗୀ ପ୍ରାଣ ହରାଉଛନ୍ତି। ଚଢ଼ଉ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ସେମାନେ ନିର୍ଭୟରେ ଚିକିତ୍ସା କରୁଛନ୍ତି।
ସ୍ୱାସ୍ଥ୍ୟ ବିଭାଗ ତରଫରୁ ମାଗଣା ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଉଛି। ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ଆଶାକର୍ମୀଙ୍କ ପାଖରେ ଔଷଧ ରହୁଛି। ଅସୁସ୍ଥ ହେଲେ ଡାକ୍ତରଖାନା ଆସି ଚିକିତ୍ସା ହେବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। ତଥାପି ଲୋକେ ଡାକ୍ତରଖାନା ନ ଯାଇ କ୍ଵାକ ଙ୍କ ଦ୍ୱାରା ଚିକିତ୍ସିତ ହୋଇ ଅସୁବିଧାର ସମ୍ମୁଖୀନ ହେବା ସହ ଖର୍ଚ୍ଚାନ୍ତ ହେଉଛନ୍ତି। କେତେକ ଲୋକଙ୍କ ମାନସିକତା ଏପରି ଅଛି ସେମାନେ ଡାକ୍ତରଖାନା ନଯାଇ କ୍ୱାକଙ୍କ ପାଖକୁ ଯାଉଛନ୍ତି ଆବଶ୍ୟକତା ନ ଥାଇ ସାଲାଇନ ଇଂଜେକସନ ଆଦି ନେଉଛନ୍ତି, ଅସୁବିଧାରେ ମଧ୍ୟ ପଡୁଛନ୍ତି। ଏସବୁ ତଦାରଖ ପାଇଁ ସ୍କ୍ବାଡ୍ ପଠାଇ ଚଢ଼ଉ କରିବାର କ୍ଷମତା ସିଡ଼ିଏମଓ ଙ୍କର ରହିଛି। ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି।ଚେଇଁ ଶୋଇଛି ସ୍ଵାସ୍ଥ୍ୟ ବିଭାଗ, ଫଳରେ ବେଫିକର ହୋଇ କ୍ଵାକ ମାନେ ମନଇଚ୍ଛା ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ