ସମ୍ବଲପୁର, ୧୦ ଅଗଷ୍ଟ (ହି.ସ.)
ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଠାରେ ଲିମ୍ଫାଟିକ ଫାଇଲେରିଆ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ରବିନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ନାଉରି ନାୟକ, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ସୁଶାନ୍ତ ପୁରୋହିତ, ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷେତ୍ରି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ପ୍ରଦୀପ କୁମାର ହୋତା, ଗଙ୍ଗାଧର ବିଶ୍ଵ ବିଦ୍ୟାଳୟର ଉପ ରେଜିଷ୍ଟ୍ରାର ଡ. ଉମା ଚରଣ ପତି, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ଅଶୋକ ଦାସ, ଡି ପିଏମ୍ ଏନଏଚମ୍ ମୃତ୍ୟୁଞ୍ଜୟ ମୁଣ୍ଡଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ଶ୍ରୀ ନାୟକ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଔଷଧ ସେବନ କରିବାକୁ ଆହ୍ବାନ ଦେଇଥିଲେ ।ଆଗାମୀ ଦିନରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ବ୍ୟାପକ କରି ଆମ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବାକୁ ସମସ୍ତଙ୍କୁ ସହୋଯୋଗ କରିବା ନିମନ୍ତେ ମଧ୍ୟ ସଚେତନ କରାଇଥିଲେ ।
ସୂଚନାଯୋଗ୍ୟ, ଜିଲ୍ଲା ରେ ପ୍ରାୟ ୧୦ ଲକ୍ଷ ୭୬ ହଜର ୬୩୨ଜଣଙ୍କୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ଔଷଧ ଦେବାର ଲକ୍ଷ ରଖାଯାଇଛି। ଏଥିରେ ଡ୍ରଗ ଆଡ଼ମିନିଷ୍ଟ୍ରେଟର, ସୁପରଭାଇଜର, ତୁରନ୍ତ ପ୍ରତିକ୍ରିୟା ଦଳ(ରାପିଡ଼ ରେସ୍ପନ୍ସ ଟିମ୍) ନିଯୋଜିତ ସହିତ କଣ୍ଟ୍ରୋଲ ରୂମ ଓ ଏମଡିଏ କର୍ଣ୍ଣର କାର୍ଯ୍ୟ କରିବ ବେଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅଭିଯାନ ରେ ଅଙ୍ଗନବାଡ଼ି କର୍ମୀ କିମ୍ବା ତାଲିମ୍ ପ୍ରାପ୍ତ ସ୍ୱେଚ୍ଛା ସେବୀ ଘରକୁ ଘର, ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନକୁ ଯାଇ ଔଷଧ ସେବନ କରାଇବେ। ଏହି ଔଷଧ ୬ ବର୍ଷ ରୂ ଉର୍ଦ୍ଧ୍ବ ସମସ୍ତ ଯୋଗ୍ୟ ଲୋକମାନେ ଡି.ଇ.ସି, ଆଇବେଢାଳଲ ଓ ଆଇଭରମେକଟିନ ଔଷଧ ଖାଇପାରିବେ।କିନ୍ତୁ ଗର୍ଭବତୀ ମହିଳା, ୨ ବର୍ଷ ରୁ କମ୍ ଶିଶୁ, ଗୁରୁତର ଅସୁସ୍ଥ ରୋଗୀ ଓ ମାଆ( ଶିଶୁ ଜନ୍ମର ଏକ ସପ୍ତାହ ମଧ୍ୟରେ)ଙ୍କୁ ଏହି ବଟିକା ସେବନ କରି କରିବାକୁ ବାରଣ କରାଯାଇଛି। ବ୍ୟକ୍ତିର ଉଚ୍ଚତା ଅନୁସାରେ ଏହି ଡ଼ୋଜ ଦିଆଯିବ ବୋଲି ସୂଚନା ଦିଆଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିଙ୍କ ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ବଟିକା ସେବନ କରିଛନ୍ତି । ବଟିକାର କୌଣସି ପାର୍ଶ୍ୱ ( ପ୍ରତିକ୍ରିୟା ନଥିବାର ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ସେଥିପାଇଁ ସମସ୍ତ ଙ୍କୁ ବଟିକା ନେବାକୁ ଅନୁରୋଧ କରାଯାଇଛି। ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୯ ତାରିଖ ଯାଏଁ ଚାଲିବ। ଏହି ସମୟରେ ଅଭିଯାନକୁ ସଫଳ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ନାୟକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସୂଚନାଯୋଗ୍ୟ ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ରାଉଣ୍ଡକୁ ଟିପିଡବ୍ଲୁଓଡିଏଲ୍ ସହଯୋଗ କରୁଅଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ