ଜୟପୁର, ୧୦ ଅଗଷ୍ଟ (ହି.ସ.)- ଜୟପୁର ମହାରାଜା ସ୍ବର୍ଗତ ବିକ୍ରମଦେବ ବର୍ମା ଭାଷାଭତ୍ତିକ ଓଡିଶା ରାଜ୍ୟ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣି ଭାବେ କାର୍ଯ୍ୟ କରିଥିଲେ । ତେଣୁ ତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଇ ରାଜ୍ୟ ବିଧାନସଭା ପରିସର ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାର ତାଙ୍କ ଅଧିନରେ ରହିଥିବା କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ସମେତ ନନ୍ଦପୁର ଠାରେ ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ଜୟପୁର ସାହିତ୍ୟ ପରିଷଦ ପକ୍ଷରୁ ସଭାପତି ହରିହର କରୁସୁଧା ପଟ୍ଟନାୟକଙ୍କ ନେତୃତ୍ବରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହାୟତାରେ ଏକ ପ୍ରତିନିଧି ଦଳ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜୟପୁର ଅରବିନ୍ଦ ନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗସ୍ତ ଅବସରରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ପ୍ରକାଶ ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାକୁ ନେଇ ତାଙ୍କର ଜମିଦାରୀ ରାଜ୍ୟ ରହିଥିଲା, ଏହା ଗତ ୯୦ ବର୍ଷ ପୂର୍ବେ ମାଡ୍ରାସ ରାଜ୍ୟ ଅଧିନରେ ରହିଥିଲା । କିନ୍ତୁ ଉତ୍କଳ ରାଜ୍ୟ ଗଠନ ବେଳେ ଏହି ଅଞ୍ଚଳକୁ ଓଡିଆ ଭାଷାବାଷୀ ବାସିନ୍ଦା ସର୍ବାଧିକ ରହିଥିବା ଯୋଗୁଁ ଏହାକୁ ନବ ଗଠିତ ଓଡିଶା ପ୍ରଦେଶରେ ମିଶାଇବାରେ ରାଜ୍ୟର ଅନ୍ୟାନ୍ୟ ଉତ୍କଳ ପ୍ରଦେଶ ଗଠନ କରିଥିବା ମହାରାଜାଙ୍କ ଭଳି ଅବଦାନ ଜୟପୁର ମହାରାଜା ସ୍ବର୍ଗତ ବିକ୍ରମ ଦେବଙ୍କ ପ୍ରମୁଖ ଭୂମିକା ରହିଥିଲା । କିନ୍ତୁ ମହାରାଜା ବିକ୍ରମଦେବଙ୍କୁ ରାଜ୍ୟରେ ଅଣଦେଖା କରାଯାଇଛି । ତେଣୁ ତାଙ୍କର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ରାଜ୍ୟ ବିଧାନସଭା ପରିସରରେ, ତାଙ୍କ ରାଜ୍ୟ ଅଧିନରେ ରହିଥିବା କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ସଦର ମହକୁମା ଏବଂ ଜୟପୁର ରାଜ୍ୟର ପୁରାତନ ରାଜଧାନୀ କୋରାପୁଟ ଜିଲ୍ଲା ନନ୍ଦପୁର ଠାରେ ସ୍ଥାପନ କରିବା । ସେହିପରି ବିକ୍ରମଦେବ ବର୍ମାଙ୍କ ଓଡିଶା ସାହିତ୍ୟ, କବିତା ଉପରେ ପ୍ରଖ୍ୟାତ ଲେଖକ ଗୋପୀନାଥ ମହାନ୍ତିଙ୍କ ଦ୍ବାରା ରଚିତ ‘ବିକ୍ରମ ରଚନାନୀ’ ପୁସ୍ତକ ପୁନଶ୍ଚ ପ୍ରକାଶ କରାଯାଇ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିନା ମୂଲ୍ୟରେ ବଣ୍ଟନ ବ୍ୟବସ୍ଥା କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି