ବାରିପଦା, ୧୧ ଅଗଷ୍ଟ (ହି.ସ.)- ମହିଳାଙ୍କୁ ଅଧିକ ଯୌତୁକ ପାଇଁ ସ୍ୱାମୀ ଓ ଶାଶୁ ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ନେଇ ଅଭିଯୋଗ ହୋଇଛି। ଏନେଇ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ପୂର୍ଣ୍ଣିମା ମହାକୁଡ଼ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି।
ପୂର୍ଣ୍ଣିମା ଉକ୍ତ ଅଞ୍ଚଳର ସୁକଦେବ ଗିରିଙ୍କୁ ୨୦୨୪ ମସିହାରେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହର କିଛି ଦିନ ପର୍ଯ୍ୟନ୍ତ ପାରିବାରିକ ଜୀବନ ଠିକ ଭାବେ ଅତିବାହିତ ହୋଇଥିଲା। ଏହାପରେ ଅଧିକ ଯୌତୁକ ପାଇଁ ଶାଶୁ ଘର ଲୋକେ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ ତାଙ୍କୁ ପିଟାମରା କରୁଥିବା ବିଷୟକୁ ନେଇ ଅଭିଯୋଗ କରିଛନ୍ତି। ସେହିପରି ବାପଘରୁ ଅଧିକ ଯୌତୁକ ଟଙ୍କା ଆଣିବାକୁ ବାରମ୍ବାର କହୁଥିଲେ। ସେ ଏଥିରେ ଅମଙ୍ଗ ହେବାରୁ ପିଟାମରା କରିଥିଲେ। ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ସେ ବାପାଙ୍କ ଘରକୁ ଯାଇଥିଲେ। ସେଠାରୁ ଶାଶୁ ଘରକୁ ଫେରିବା ପରେ ସ୍ୱାମୀ, ଶାଶୁ, ଶଶୁର, ନଣଦ ଆଦି ମିଶି ଖରାପ ଭାଷାରେ ଗାଳିଗୁଲଜ କରିବା ସହ ପିଟାମରା କରିଥିଲେ। ଯାହା ଫଳରେ ତାଙ୍କର ମୁହଁ, ହାତ ଆଦି ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ତାଙ୍କୁ ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଇଥିବା ବେଳେ ଥାନାରେ ଅଭିଯୋଗ ହୋଇଥିଲା। ଆଗକୁ ଆଉ ନିର୍ଯ୍ୟାତନା ଦେବେ ନାହିଁ ବୋଲି ଆପୋଷ ବୁଝାମଣା ପରେ ସମାଧାନ ହୋଇଥିଲା। କିନ୍ତୁ ଏହାପରେ ପୁଣି ଦ୍ଵିତୀୟ ଥର ପୁନରାବୃତ୍ତି ହୋଇଛି। ଏନେଇ ଅଭିଯୋଗକ୍ରମେ ଥାନାରେ ସ୍ୱାମୀ ସୁକଦେବ ଗିରି, ଶଶୁର ନବୀନ ଚନ୍ଦ୍ର ଗିରି, ଶାଶୁ ବିମଳା ଗିରି, ନଣଦ କଳ୍ପନା ଗିରି, ସସ୍ମିତା ପ୍ରଧାନ, କବିତା ବେହେରା ଓ ସୁମନ ବେହେରାଙ୍କ ନାମରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ