ଜୟପୁର,୧୧ ଅଗଷ୍ଟ (ହି.ସ.) - ଯାତ୍ରୀଙ୍କ ମନ ଜିଣି ପାରୁନି ଜୟପୁର ନୂତନ ବସ ଟର୍ମିନାଲ। ଅସରାୟ ବର୍ଷା ହେଲେ ବସଟର୍ମିନାଲରେ ଜମି ରହୁଛି ପାଣି। ପାଣି ନିଷ୍କାସନ ହେଉନଥିବା ଯୋଗୁଁ ଯେଉଁଠି ବସ ରହଣି କରାଯାଉଛି ସେଠାରେ ଯାତ୍ରୀ ମାନେ ଗାଡିରୁ ଓହ୍ଲାଇବା ଓ ଚଢିବା ସମୟରେ ପାଣି କାଦୁଅରେ ଭିଜି ଭିଜି ବସରେ ଚଢୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏପରିକି ପାଣି ଜମି ରହିବା ଫଳରେ ପାଣି ଦୁଷିତ ହୋଇ ପାଣିରେ ମଶା ମାଛି ଭଳି ଅନେକ ପୋକ ଜମା ହେଉଛନ୍ତି। ଯାହା ଫଳରେ ଯାତ୍ରୀମାନେ ବସ ରହଣି ସ୍ଥଳରୁ ବସରେ ଚଢିବାପାଇଁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି।
ବିଶ୍ୱସ୍ତରୀୟ ବସଟର୍ମିନାଲରେ କଣ ଏପରି ସୁବିଧା ଉପଲବ୍ଧ ହୁଏ କି ବୋଲି ଯାତ୍ରୀ ମାନେ ପ୍ରଶ୍ନ କରିଛନ୍ତିଁ ରାଜସ୍ୱ ଆଦାୟ ଲକ୍ଷରେ ବସଷ୍ଟାଣ୍ଡରେ ଏକାଧିକ ଷ୍ଟଲ ଦୋକାନ ଗୃହ ନିର୍ମାଣ ହୋଇଛି। କିନ୍ତୁ ଯାତ୍ରୀଙ୍କ ସଂଖ୍ୟା ସୁବିଧା ଦୃଷ୍ଟିରୁ କୌଣସି ପଦକ୍ଷେପ ନିଆଯାଉନଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ସରକାରୀ ବସଷ୍ଟାଣ୍ଡ ଭିତରେ ଅବ୍ୟବସ୍ଥା ଦେଖି ଯାତୀ ମାନେ ମୁହଁ ଫେରାଇ ରାସ୍ତା ଉପରକୁ ଚାଲି ଆସୁଥିବା ଦେଖିବାକୁ ମିଳିଛି। ବସଷ୍ଟାଣ୍ତ ଭିତରେ ରହିଥିବା ସମସ୍ୟାରେ ସମାଧାନ ପାଇଁ ପ୍ରଶାସନିକ ଅଧିକାରୀ ଉପେକ୍ଷା କରୁଥିବା ଜଣାପଡୁଛି।
୨୦୧୬-୧୭ ରେ ଜୟପୁରରେ ନୂତନ ବସଟର୍ମିନାଲ ନିର୍ମାଣ ପାଇଁ ତତ୍କାଳୀନ ବିଜେଡି ସରକାର ଜନସାଧାରଣଙ୍କୁ ସ୍ୱପ୍ନ ଦେଖାଇଥିଲେ। ନୂତନ ବସ ଟର୍ମିନାଲ ଏକ ଅତ୍ୟାଧୁନିକ ଏବପ୍ସ ବିଶ୍ୱସ୍ତରୀୟ ହେବା ପରି ସମସ୍ତେ ଅନୁଭବ କରିବେ ବୋଲି ମଧ୍ୟ ପ୍ରଚାର କରାଯାଇଥିଲା। ସରକାରଙ୍କ ଯୋଜନା ପ୍ରକାରେ ନୂତନ ବସ ଟର୍ମିନାଲ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୁଲିସ ହାଉସିଂ ବୋର୍ଡ ନିର୍ମାଣ ଦାୟୀତ୍ୱ ନେଇଥିଲା। ନିର୍ମାଣ ସମୟ ସୀମାଠାରୁ ଆହୁରି ଅଧିକା ୪ ବର୍ଷ ପରେ ବସ ଟର୍ମିନାଲ କାମ ଶେଷ ହୋଇଥିଲା। ୨୦୨୪ ନଭେମ୍ବର ୨୫ ରେ ନୂତନ ବସ ଟର୍ମିନାଲ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ ହୋଇଥିଲା। ଯାତ୍ରୀ ମାନେ ନୂତନ ବସଷ୍ଟାଣ୍ଡକୁ ଆସି ବସରେ ଯାତାୟତ ଆରମ୍ଭ କରିଥିଲେ। ବର୍ତମାନ ଯାତ୍ରୀମାନେ ବିଶ୍ୱସ୍ତରୀୟ ବସ ଟର୍ମିନାଲର ବ୍ୟବସ୍ଥାକୁ ଦେଖିବାକୁ ନ ପାଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଯାତ୍ରୀଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ପରିମାଣରେ ସ୍ଥାନ ଅଭାବ ଦେଖା ଦେଉଛି। ବସ ରହଣି ସମ୍ମୁଖରେ ଏକାଧିକ ଷ୍ଟଲ ନିର୍ମାଣ ହୋଇଛି। ଷ୍ଟଲ ସମ୍ମୁଖରେ ଠିଆ ହେବା ପାଇଁ ମଧ୍ୟ ସ୍ଥାନ ଅଭାବ ରହିଛି। ଯାତ୍ରୀ ମାନେ ସ୍ୱଳ୍ପ ସ୍ଥାନରେ ସାଥିରେ ନେଉଥିବା ନିଜର ବ୍ୟାଗ ସୁଟକେସ ତଥା ଅନ୍ୟାନ୍ୟ ସାମଗ୍ରୀକୁ ରଖି ଛିଡା ହୋଇ ଅପେକ୍ଷା କରୁଛନ୍ତି। ଷ୍ଟଲ ଖୋଲି ଦିଆଗଲେ ଯାତ୍ରୀଙ୍କୁ ଠିଆ ହେବା ପାଇଁ ମଧ୍ୟ ସ୍ଥାନ ମିଳୁନାହିଁଁ। ରାତିରେ ବିଶାଖାପାଟଣା ଯିବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଯାତ୍ରୀ ମନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଯଦି ରାତି ଅଧରେ ପାଣିରେ ଗୋଡ ପଡିଯାଏ ତେବେ ଅବସ୍ଥା ସାଂଘାତିକ ହେବା ସହ କ୍ଷତ ବିକ୍ଷତ ହେବାର ସମ୍ଭାବନା ରହିଛି। ବର୍ଷାହେଲେ ବସ ବେ ନିକଟରେ ଛିଡା ହେବାକୁ ଜାଗା ନାହିଁ। ଅନ୍ୟପଟେ ବର୍ଷା ପାଣି ପଡିଲେ ଯାତ୍ରୀ ଭିଜିବା ସୁନିଶ୍ଚିତ ବୋଲି ଯାତ୍ରୀ ମାନେ ପ୍ରକାଶ କରିଛନ୍ତି। ବସଟର୍ମିନାଲକୁ ଦୈନିକ ହଜାର ହଜାର ଯାତ୍ରୀ ଯାତାୟତ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ପୌର ପାଳିକା କି ଜିଲ୍ଲା ପ୍ରଶାସନ ଯାତ୍ରୀଙ୍କ ସୁବିଧା ପାଇଁ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି। ବସଷ୍ଟାଣ୍ଡରେ କେବଳ ରାଜସ୍ୱ ଆଦାୟ ପାଇଁ ଷ୍ଟଲ ନିର୍ମାଣ ହୋଇଥିବା ମନେ ହେଉଛି। ଯାତ୍ରୀଙ୍କ ମୌଳିକ ସୁବିଧାକୁ ଉପେକ୍ଷା କରାଯାଉଛି। ବସ ଟର୍ମିନାଲ ଭିତରେ ୩୦ଟି ଷ୍ଟଲ, ଦୁଇଟି ରେଷ୍ଟୁରାଂଟ ଓ ଗୋଟିଏ ଡର୍ମିଟେରି ରହିଛି। ତାହା ବର୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକାରି ହୋଇନାହିଁ। ଖୁବ ଶିଘ୍ର ପ୍ରଶାସନିକ ଅଧିକାରୀ ତଥା ସରକାରୀ ବସଷ୍ଟାଣ୍ଡ କର୍ତୁପକ୍ଷ ତୁରନ୍ତ ପାଣି ନିଷ୍କାସନର ବ୍ୟବସ୍ଥା କଲେ ଆଗାମୀ ଦିନରେ ଯାତ୍ରୀ ମାନେ ସୁରକ୍ଷିତ ମଣିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ହିନ୍ଦୁସ୍ଥାନ ସମାଚାର / ପିକେପି