ଜୟପୁର, ୧୧ ଅଗଷ୍ଟ (ହି.ସ.)- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରଧାନଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ, ଜୟପୁର, ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ରାମଚନ୍ଦ୍ର ପାଳ, ପ୍ରଧାନଶିକ୍ଷକ ତଥା ବରିଷ୍ଠ ବିଜ୍ଞାନ ଶିକ୍ଷକ, ପାତ୍ରପୁଟ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଣ୍ଡା, ହେମନ୍ତ କୁମାର ଚାନ୍ଦ୍, ଜୟପୁର ସଂକୁଳ ପ୍ରମୁଖ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ସତ୍ୟ ନାରାୟଣ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ବନ୍ଦନା ଓ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଶିଶୁମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଏହାପରେ ସଂକୁଳ ସଂଯୋଜକ ସତ୍ୟନାରାୟଣ ସେଠୀଙ୍କ ଦ୍ୱାରା ଅତିଥିମାନଙ୍କର ପରିଚୟ ପ୍ରଦାନ କରାଯାଇଥିଲା । ସତ୍ୟନାରାୟଣ ସେଠୀ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଶିଶୁଙ୍କୁ ମାର୍ଗ ଦର୍ଶନ କରିଥିଲେ । ସଂକୁଳ ପ୍ରମୁଖ ହେମନ୍ତ ଚାନ୍ଦ ମଧ୍ୟ ନିଜ ବୌଦ୍ଧିକ ମାଧ୍ୟମରେ ଶିଶୁମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ଶିଶୁମାନେ ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପତ୍ରବାଚନ, ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ପ୍ରକଳ୍ପ, ଗଣିତ ପତ୍ରବାଚନ, ଗଣିତ ପ୍ରୟୋଗ, ଗଣିତ ପ୍ରଶ୍ନମଞ୍ଚ, ସଂସ୍କୃତିଜ୍ଞାନ ପତ୍ରବାଚନ, ସଂସ୍କୃତିଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତିଜ୍ଞାନ ତାତ୍କାଳିକ ଭାଷଣ, ମୂର୍ତ୍ତିକଳା, ନିବନ୍ଧ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ବିଜୟ କୁମାର ଭଟ୍ଟ, ଜି.ଭେଙ୍କେଟ୍ ରେଡ୍ଡି, ଡ. କିଚକ୍ ଚନ୍ଦ୍ର ଜେନା, ସତ୍ୟ ସ୍ୱରୂପ ପାତ୍ର, ଗୀରୀଶ୍ ଚନ୍ଦ୍ର ହୋତା, ଡ. ଉଜ୍ଜ୍ୱଳ କୁମାର ଷଢଙ୍ଗୀ, କୋମଳ ଲୋଚନ ମହାଲିକ୍, ଏନ୍. ନରେଶୁ, ରାହୁଲ୍ କୁମାର ମହାନ୍ତି, ଜ୍ଞାନ ରଂଜନ ମହାନ୍ତି, ସରୋଜ କୁମାର ମହାପାତ୍ର, ସୀମାଦ୍ରୀ ଆପନ୍ନା, ଆଲୋକ କୁମାର ଚୌଧୁରୀ, ତ୍ରିନାଥ ପଟ୍ଟନାୟକ, ରୋହିତ୍ ରଂଜନ ବେହେରା, ସୁଶ୍ରୀ ପ୍ରିୟଙ୍କା ମହାରଣା, ଅତୁଲ୍ୟ କୁମାର ପଟ୍ଟନାୟକ, ବିମଲ୍ କୁମାର, ଦୁର୍ଗା ପ୍ରସାଦ ଦାଶ ଯୋଗଦେଇ ଶିଶୁମାନଙ୍କର ମୂଲ୍ୟାଙ୍କନ କରିଥିଲେ । ଏଥିରେ ସମସ୍ତ ଶିଶୁ ବିଦ୍ୟାମନ୍ଦିରରୁ ସର୍ବମୋଟ ୨୫୦ ଜଣ ଶିଶୁ, ୨୩ ଜଣ ପରିଚାଳକ ପରିଚାଳିକା, ୯ ଜଣ ପ୍ରଧାନାଚାର୍ଯ୍ୟ, ୨୨ ଜଣ ଶିଶୁ ଦାୟିତ୍ୱରେ ଆସିଥିବା ଗୁରୁଜୀ ଗୁରୁମା, ୫୦ ଜଣ ସ୍ଥାନୀୟ ବିଦ୍ୟାଳୟର ପ୍ରବନ୍ଧକ ପ୍ରବନ୍ଧିକା ଯୋଗ ଦେଇଥିଲେ ।
ସେହିପରି ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରଶାନ୍ତ କୁମାର ବେହେରା, ସିପିଜିସି, ବିକ୍ରମ ଦେବ ୟୁନିଭର୍ସିଟି ଯୋଗଦେଇ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସଂକୁଳ ପ୍ରମୁଖ ହେମନ୍ତ କୁମାର ଚାନ୍ଦ, ଦକ୍ଷିଣ ସମ୍ଭାଗ ଜୟପୁରର ସଦସ୍ୟା ଶ୍ରୀମତି କବିତା ସାହୁ, ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ସତ୍ୟନାରାୟଣ ସେଠୀ ସମାରୋପ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ସମାରୋପ ଉତ୍ସବରେ କୃତି ଶିଶୁ ଭାଇଭଉଣୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି