ସମ୍ବଲପୁର, ୧୧ ଅଗଷ୍ଟ (ହି.ସ.)
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତର ଅଗ୍ରଣୀ 'ଧରିତ୍ରୀ ବନ ସୁରକ୍ଷା ସମିତି' ପକ୍ଷରୁ ଏକ ବୃହତ୍ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ସକାଳ ପ୍ରାୟ ୮ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ ସୁରକ୍ଷା ସମିତି ପକ୍ଷରୁ ଟିକିଲିପଡ଼ା ଗ୍ରାମରେ ପ୍ରାୟ ୪୦ ଏକର ସରକାରୀ ଜଙ୍ଗଲ ଜମି ଜବରଦଖଲରୁ ଉଛେଦ କରି ସେଠାରେ ୬ ଶହରୁ ଉର୍ଦ୍ଧ୍ବ ବିଭିନ୍ନ ଉପଯୋଗୀ ବୃକ୍ଷର ଚାରା ରୋପଣ କରାଯାଇଛି। ସମିତିର ଏହି କାର୍ଯ୍ୟରେ ଗ୍ରାମବାସୀଙ୍କ ସାମିଲ ଥିବା ଦେଖି ଜବରଦଖଲ କାରୀମାନେ ସ୍ଵ-ଇଚ୍ଛାରେ ଜବର ଦଖଲ ଜମିକୁ ଦଖଲମୁକ୍ତ କରିବା ସହ ସେଠାରେ ଚାରା ରୋପଣ କାର୍ଯ୍ଯରେ ସହଯୋଗ କରିଥିଲେ। ନିଜସ୍ୱ ସମ୍ବଳରେ ଅଞ୍ଚଳର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ମିଳିତ ଭାବେ 'ଏକ ପେଡ଼, ମାଁ କେ ନାମ' କାର୍ଯ୍ୟକ୍ରମରେ ଏହି ଚାରା ରୋପଣ କାର୍ଯ୍ୟକ୍ରମ କରିଥିଲେ। ଏହି ଅଞ୍ଚଳ ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାର ସୀମାବର୍ତ୍ତୀ ଥିବାରୁ ଅନେକ ବ୍ୟକ୍ତି ବିଶେଷ ବହୁ ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲ କରି ଆସୁଥିଲେ। ଏହାକୁ ନଜରରେ ରଖି 'ବନ ସୁରକ୍ଷା ସମିତି' ପକ୍ଷରୁ ଏଭଳି ନିଆରା ପଦକ୍ଷେପ ନିଆଯାଇଛି। ଟିକିଲିପଡ଼ା ଗ୍ରାମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ ଥିବା ବେଳେ ଏହି ସୌନ୍ଦର୍ଯ୍ୟକୁ ଭବିଷ୍ୟତ ପିଢୀ ପାଇଁ ବଞ୍ଚାଇ ରଖିବାକୁ ଗ୍ରାମବାସୀ ମାନେ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି। କେବଳ ଜମି ଜବରଦଖଲ ମୁକ୍ତ ନୁହେଁ ସମସ୍ତ ସରକାରୀ ଜମିର ସୁରକ୍ଷା ପାଇଁ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ପ୍ରତିଜ୍ଞା ବଦ୍ଧ ହୋଇ ଉଠିଛନ୍ତି ଗ୍ରାମବାସୀ। ଆଗାମୀ ଦିନରେ ସମସ୍ତ ଅଞ୍ଚଳକୁ ସବୁଜିମାରେ ପରିଣତ କରାଯିବ ବୋଲି ସମିତି ମଧ୍ୟ ପ୍ରତିଶ୍ରୁତି ଦେଇଛି ।
ଏହି କାର୍ଯ୍ୟକ୍ରମରେ ଟିକିଲିପଡ଼ା ସରପଞ୍ଚ ଅଜିତ୍ ନାଏକ, ଟିକିଲିପଡା ସମିତି ସଭ୍ୟ ତଥା ଜମନକିରା ବ୍ଲକ ଉପାଧ୍ୟକ୍ଷ ରୋହିତ ଭୋଇ, କିଶୋର ନାଏକ, ଅଜୟ ସାହୁ, ଦଶରଥ ପିଙ୍ଗ, ସଞ୍ଜୟ ପଟେଲ, କ୍ଷମାନିଧି ପଧାନ, ପବନ ଲୁହା, ରାମ ସୁନା, ହିମ୍ମତ ଧୂରୁଆ, ରମଣୀ ପଟେଲ, ମୁକ୍ତେଶ୍ଵର ପ୍ରଧାନଙ୍କ ସହିତ ଅନେକ ଯୁବକ, ଯୁବତୀ ପୁରୁଷ ଓ ମହିଳାମାନେ ଚାରା ରୋପଣ କାର୍ଯ୍ଯରେ ସାମିଲ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ