ନୂଆ ଦିଲ୍ଲୀ, ଅଗଷ୍ଟ ୧୧ (ହି.ସ.)- ସମବାୟ ନିର୍ବାଚନ ପ୍ରାଧିକରଣ (ସିଇଏ) ସୋମବାର ଏଠାରେ ରାଜ୍ୟ ସମବାୟ ନିର୍ବାଚନ ପ୍ରାଧିକରଣଙ୍କ ସହିତ ଏହାର ପ୍ରଥମ ପରାମର୍ଶଦାତା ବୈଠକ କରିଥିଲା। ଏହି ବୈଠକର ଉଦ୍ଦେଶ୍ୟ ଥିଲା ରାଜ୍ୟଗୁଡ଼ିକର ସମବାୟ ନିର୍ବାଚନ ଅଧିକାରୀଙ୍କ ସହିତ ଏକ ଆଲୋଚନା ତନ୍ତ୍ର ବିକଶିତ କରିବା ଯାହା ଦ୍ୱାରା ଦେଶବ୍ୟାପୀ ସମବାୟ ସଂସ୍ଥାଗୁଡ଼ିକର ନିର୍ବାଚନ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ଭାବରେ ଅନୁଷ୍ଠିତ ହୋଇପାରିବ।
ସମବାୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମବାୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆନନ୍ଦ କୁମାର ଝା, ସିଇଏର ଉପାଧ୍ୟକ୍ଷ ଆନନ୍ଦ କୁମାର ଝା ଏବଂ ସମବାୟ ଲୋକପାଳ ଆଲୋକ ଅଗ୍ରୱାଲ, ଓଡ଼ିଶା, ବିହାର, ତାମିଲନାଡୁ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ରାଜ୍ୟର ନିର୍ବାଚନ କମିଶନରମାନେ ଯୋଗ ଦେଇଥିଲେ। ସିଂହ ସୂଚନା ଦେଇଥିଲେ ଯେ ମୋଦି ସରକାର ସମବାୟ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛନ୍ତି। ମାର୍ଚ୍ଚ ୨୦୨୪ ପରଠାରୁ ସିଇଏ ଦ୍ୱାରା ୧୫୯ ନିର୍ବାଚନ ସଫଳତାର ସହ ପରିଚାଳନା କରାଯାଇଛି ଏବଂ ଆଗାମୀ ସମୟରେ ୬୯ଟି ଅନ୍ୟ ନିର୍ବାଚନର ପ୍ରକ୍ରିୟା ଜାରି ରହିଛି।
ସେ କହିଛନ୍ତି ଯେ ୨୦୨୫ ବର୍ଷକୁ ଆନ୍ତର୍ଜାତୀୟ ସମବାୟ ବର୍ଷ ଭାବରେ ପାଳନ କରାଯାଉଛି ଏବଂ ଏହି ଅବସରରେ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସୁଗମ ଏବଂ ସ୍ୱଚ୍ଛ କରିବାର ଆବଶ୍ୟକତା ରହିଛି। ବୈଠକରେ ପ୍ରାର୍ଥୀଙ୍କ ପାଇଁ ଆଚରଣ ସଂହିତା, ନିର୍ବାଚନ ଖର୍ଚ୍ଚର ସର୍ବାଧିକ ସୀମା, ନିର୍ବାଚନ ଅଧିକାରୀଙ୍କ ପାଇଁ ହ୍ୟାଣ୍ଡବୁକ୍, ଜାତୀୟ ସମବାୟ ସଂସ୍ଥାର ପ୍ରତିନିଧିଙ୍କ ନିର୍ବାଚନ ଏବଂ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବ୍ୟବହାର ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।
ଦେବେନ୍ଦ୍ର କୁମାର ସିଂହ ମଧ୍ୟ ସମବାୟ ନିର୍ବାଚନରେ ଅମିଟ କାଳି ବ୍ୟବହାର, ସଦସ୍ୟଙ୍କ ନିର୍ବାଚନ ପ୍ରତୀକ ଏବଂ ଅଂଶଧନ ପୁଞ୍ଜି ନିର୍ଣ୍ଣୟ ଭଳି ପ୍ରସଙ୍ଗ ଉପରେ ତାଙ୍କର ମତାମତ ରଖିଥିଲେ ଏବଂ ରାଜ୍ୟଗୁଡ଼ିକରୁ ପରାମର୍ଶ ଆମନ୍ତ୍ରଣ କରିଥିଲେ। ସମବାୟ ନିର୍ବାଚନ ସଂସ୍କାର ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ପ୍ରତି ତିନି ମାସରେ ଏକ ପରାମର୍ଶଦାତା ବୈଠକ ଅନୁଷ୍ଠିତ ହେବ ବୋଲି ଉଋଇ ନିଷ୍ପତି ନେଇଥିଲା।
ବୈଠକରେ ଯୋଗ ଦେଇଥିବା ପ୍ରମୁଖ ରାଜ୍ୟ ପ୍ରତିନିଧିମାନଙ୍କ ମଧ୍ୟରେ ଓଡ଼ିଶାରୁ ଶ୍ରୀକାନ୍ତ ପୃଷ୍ଟି, ବିହାରରୁ ଗିରିଶ ଶଙ୍କର ଏବଂ କୁମାର ଶାନ୍ତ ରକ୍ଷିତ, ତାମିଲନାଡୁରୁ ତିରୁ ଦୟାନନ୍ଦ କଟାରିଆ, ମହାରାଷ୍ଟ୍ରରୁ ଅନିଲ ମହାଦେବ କଭାଡେ ଏବଂ ଅଶୋକ ଗାଡେ ଏବଂ ତେଲେଙ୍ଗାନାରୁ ଜି ଶ୍ରୀନିବାସ ରାଓ ଥିଲେ।
-------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ