ଜୟପୁର, ୧୧ ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା ର ଝିଅ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି, ଅନ୍ତର୍ଜାତୀୟ ଯୁବ ପରିବେଶବିତ ସମ୍ମାନ ପାଇଁ ମନୋନୀତ ହୋଇ ଦେଶ, ରାଜ୍ୟ ଓ କୋରାପୁଟ ଜିଲ୍ଲାର ନାମ ବିଶ୍ବରେ ପରିଚିତ କରିପାରିଛନ୍ତି। ପ୍ରତି ବର୍ଷ ଆକ୍ସନ ଫର ନେଚେର, ଅନୁଷ୍ଠାନ ସାନଫ୍ରାନ୍ସିକ, ଆମେରିକା ତରଫରୁ ବିଶ୍ବର 8 ରୁ 16 ବର୍ଷ ମଧ୍ୟରେ ଯୁବ ପରିବେଶବିତଙ୍କୁ ନେଇ ପ୍ରତିଯୋଗିତା ହୁଏ। ଏଥିରେ ବିଶ୍ବର ସମସ୍ତ ଦେଶର ପରିବେଶ ନିମନ୍ତେ କାର୍ଯ୍ୟ କରୁଥିବା ଶିଶୁ ମାନେ ନିଜର ପରିବେଶ ନିମନ୍ତେ କରୁଥିବା କାର୍ଯ୍ୟକ୍ରମକୁ ଉପ ସ୍ଥାପନା କରିଥାନ୍ତି। ଚଳିତ ବର୍ଷ ବିଶ୍ବର 43ଟି ଦେଶ, ଆମେରିକାର 22 ଟି ରାଜ୍ୟ ର 457 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥିରୁ 14ବର୍ଷ କମ ବର୍ଗ ରେ ପ୍ରକାଶ ବିଦ୍ୟାଳୟ ଜୟପୁର ରେ ପଡୁଥିବା, ନବମ ଶ୍ରେଣୀ ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି, ନିଜର ଜୈବ ବିବିଧତା ରେ ପାରମ୍ପାରିକ ଦେଶୀ ବିହନ ସଂରକ୍ଷଣ, ବ୍ୟାପକ ଚାଷ, ଓ ବିସ୍ମୃତ ଖାଦ୍ୟ ର ସଚେତନତା ନିମନ୍ତେ ଦ୍ଵିତୀୟ ହୋଇ ପୁରସ୍କାର ସ୍ଵରୂପ 400 ଆମେରିକା ଡଲାର, ମାନପତ୍ର, ବିଶ୍ବରେ ନିଜର କାର୍ଯ୍ୟର ପ୍ରସାର ନିମନ୍ତେ ଅନୁଷ୍ଠାନ ତରଫରୁ ସହଯଗ ପାଇବେ।
ସୂଚନା ଥାଉକି, ହର୍ଷିତା ପ୍ରିୟଦର୍ଶିନୀ ଦେଶୀ ଧାନ, ମାଣ୍ଡିଆ, ଓ ଶୁଁଆ ର ସଂରକ୍ଷଣ, ବ୍ୟାପକ ଚାଷ, ଓ ବିସ୍ମୃତ ଖାଦ୍ୟ ର ପ୍ରସାର ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି। ଏଥିନିମନ୍ତେ ସେ ଦେଶ, ରାଜ୍ୟ, ଜିଲ୍ଲା ସ୍ତର ରେ ଅନେକ ଥର ସମ୍ମାନୀତ ହେଇଛନ୍ତି। ଜ୍ୱେଲ ଅଫ ଓଡ଼ିଶା, କୃଷକ ରତ୍ନ, ଆଇଡିଆ ୟଙ୍ଗ ଷ୍ଟାର -2024, ପ୍ରକୃତି ବନ୍ଧୁ, ଫୁଡ୍ ହୀରୋ,ଇଣ୍ଡିଆ ବୁକ ଅଫ ରେକଡ, ପ୍ରଫେସର୍ ରାଧାମୋହନ ବିହନ ବ୍ୟାଙ୍କ ସମ୍ମାନ ସହ ଜାତୀୟ, ରାଜ୍ୟ ସରକାର, ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ଅନୁଷ୍ଠାନ ଙ୍କ ଠାରୁ ସମ୍ମାନିତ, ପୁରସ୍କୃତ ହେଇଛନ୍ତି। ଚଳିତ ବର୍ଷ ଭାରତର ଜଣେ ମାତ୍ର ପୁରସ୍କାର ନିମନ୍ତେ ମନୋନୀତ ହୋଇ ଦେଶ, ରାଜ୍ୟ, ଜିଲ୍ଲାର ନାମ ରଖିଛନ୍ତି। ଏଥି ନିମନ୍ତେ ବୁଦ୍ଧିଜିବୀ, ବିଭିନ୍ନ ଅନୁଷ୍ଠାନ, ବିଦ୍ୟାଳୟ ତରଫରୁ ତାଙ୍କୁ ଶୁଭେଛା ଜଣେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି