ବାରିପଦା, ୧୧ ଅଗଷ୍ଟ (ହି.ସ.)- ପୋଡ଼ାଅସ୍ତିଆ ଠାରେ ବୁଢାବଳଙ୍ଗ ନଦୀ ଉପରେ ନିର୍ମିତ ହାଇଲେଭଲ ବ୍ରିଜରେ ଗତ ଅକ୍ଟୋବର ମାସରୁ ଗାଡି ଚଳାଚଳ ଆରମ୍ଭ ହୋଇଛି। କିନ୍ତୁ ଆଲୋକୀକରଣ ବ୍ୟବସ୍ଥା ଅଭାବରୁ ସନ୍ଧ୍ୟା ହେଲେ ଅନ୍ଧାରର ରାଜୁତି ଚାଲୁଛି। ଏହି ଅନ୍ଧାର ସୁଯୋଗ ଅସମାଜିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି। ଏହାସହିତ ବିପଦପୂର୍ଣ୍ଣ ଭାବେ ଗାଡିମୋଟର ଚଳାଚଳ ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏହାର ସମାଧାନ କରିବା ପାଇଁ ସୋମବାର ୱାର୍ଡ଼ ମେମ୍ବର ଚନ୍ଦନ ସିଂ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବାରିପଦା-ଉଦଳା ୧୯ ନମ୍ବର ରାଜ୍ୟ ରାଜପଥର ପୋଡା ଅସ୍ତିଆ ଠାରେ ବୁଢାବଳଙ୍ଗ ନଦୀ ଉପରେ ରାଜରାଜୁଡା ଅମଳରେ ନିର୍ମିତ ପୁରୁଣା ଅଣ ଓସାରିଆ ବ୍ରିଜ ଦେଇ ଚଳାଚଳ କରିବାରେ ଅନେକ ଅସୁବିଧା ହେଉଥିଲା। ତାହା ବିପଦପୂର୍ଣ୍ଣ ଥିବାରୁ ପୂର୍ତ୍ତ ବିଭାଗ ଦ୍ଵାରା ୨୯୨ ମିଟରର ଉଚ୍ଚ ସେତୁ ୨୭ କୋଟି ୨୯ ଲକ୍ଷ ୮୦ ହଜାର ୨୦୮ ଟଙ୍କାରେ ନିର୍ମାଣ ହୋଇଛି। ବାରିପଦାରୁ ଉଦଳାକୁ ଗମନାଗମନ ପାଇଁ ଏହା ମୁଖ୍ୟ ମାଧ୍ୟମ ଥିବାରୁ ଦିନ ରାତି ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଚଳାଚଳ କରିଥାନ୍ତି। ପୋଲରେ ଗାଡି ଚାଳଚଳ ଆରମ୍ଭ ହୋଇଥିବା ବେଳେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା କରାଯାଇନାହିଁ। ଯାହା ଫଳରେ ମଧୁବନ ଛକ ଠାରୁ ବିର୍ସା ମୁଣ୍ଡା ଛକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅନ୍ଧାର ରହୁଛି। ପୋଲର ଉଭୟ ପାର୍ଶ୍ଵରେ ଜନବସତି, ବଜାର, ଶିକ୍ଷାନୁଷ୍ଠାନ ସମେତ ଶିମିଳିପାଳ ଜାତୀୟ ଉଦ୍ୟାନକୁ ଯିବା ପାଇଁ ବାଟ ଥିବାବେଳେ ଲୋକେ ଅନ୍ଧାରରେ ଯାତାୟାତ କରୁଛନ୍ତି। ଯାହା ଫଳରେ ସନ୍ଧ୍ୟା ହେଲେ ଅନ୍ଧାରରେ ଦୁର୍ଘଟଣା ଘଟିବା ସମେତ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ଏଥି ସହିତ ସନ୍ଧ୍ୟାରେ ପୋଲ ଉପରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଅନ୍ଧାରରେ ଠିକ ଭାବେ ଗାଡିମୋଟର ଚଳାଚଳ ପାଇଁ ବାଧକ ସାଜୁଛି। ସବୁଠୁ ବଡ଼ କଥା ହେଲା ଅନ୍ଧାରରେ ଅସାମାଜିକ ଯୁବକଙ୍କ ଭିଡ଼ ଜମି କାର୍ଯ୍ୟକଳାପ ହେଉଛି। ଅନ୍ଧାରର ସୁଯୋଗ ନେଇ ଚୋରି ଓ ଛିନତାଇ ଘଟିବାର ସମ୍ଭାବନା ମଧ୍ୟ ରହିଛି। ଏହା ସହିତ ପୋଲ ଉପରେ ନିଶା ସେବନ କରୁଛନ୍ତି। ଲୋକଙ୍କ ସୁଗମ ଗମନାଗମନ ପାଇଁ ପୋଲରେ ଗାଡି ଚଳାଚଳ ସ୍ୱାଭାବିକ କରିଥିଲେ ସୁଦ୍ଧା ଆଲୋକିକରଣ ବ୍ୟବସ୍ଥା ନଥିବାରୁ ନାନାଦି ସମସ୍ୟା ସୃଷ୍ଟି ହେଉଛି। ତେବେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ପୋଲ ନିର୍ମାଣ ହୋଇଥିବା ବେଳେ ଆଲୋକୀକରଣ ବ୍ୟବସ୍ଥା ଅଭାବରୁ ନାନାଦି ସମସ୍ୟା ସୃଷ୍ଟି କରୁଛି। ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆଲୋକୀକରଣ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ପକ୍ଷରୁ ଗୁହାରି ଜଣାଇଛନ୍ତି।
ଦାବିପତ୍ର ପ୍ରଦାନ ସମୟରେ ଦିପୁ ସିଂ, ରଞ୍ଜିତ ସିଂ, ଲକ୍ଷ୍ମଣ ସିଂ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ