କନ୍ଧମାଳ, ୧୧ ଅଗଷ୍ଟ (ହି.ସ.)- ବହୁ ପ୍ରତୀକ୍ଷିତ ଦଶ ଦଫା ଦାବୀ ପୁରଣ କରିବାରେ ରାଜ୍ଯ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘର ପୂର୍ବନିର୍ଦ୍ଧାରିତ ନିଷ୍ପତ୍ତି ପ୍ରକାରେ ୧୧ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରାଜସ୍ବ ଅମଲାମାନେ ସାମୁହିକ ଛୁଟିରେ ରହିବା ପରିପ୍ରେକ୍ଷୀରେ ଆଜି କନ୍ଧମାଳ ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ମଧ୍ୟ ସାମୁହିକ ଛୁଟିରେ ଅଛନ୍ତି l
ପ୍ରକାଶ ଥାଉକି, ଗତ ୮ ତାରିଖ ଦିନ ରାଜସ୍ୱ ଅମଲା ମାନେ ନିଜ ନିଜ ଅଧିକାରୀଙ୍କୁ ସମୁହ ଛୁଟି ଦରଖାସ୍ତ ପ୍ରଦାନ କରିଥିଲେ l ଯେତେ ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ଦାବୀ ପୂରଣ କରି ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କନ୍ଧମାଳର ସଭାପତି ଗଣେଶ ନାୟକ, ସଂପାଦକ ସିମାଞ୍ଚଳ ପଣ୍ଡା ପ୍ରକାଶ କରିଛନ୍ତି l ଏହି ଆନ୍ଦୋଳନ ସମୟରେ ଜନ ସାଧାରଣଙ୍କ ଯାହା ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ରାଜ୍ଯ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି।
ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ପ୍ରକାଶ କରିଛନ୍ତି ଯେ, ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କର ୧୦ ଦଫା ଦାବି ପୂରଣ କରିବା ନିମିତ୍ତ ରାଜ୍ୟ ସରକାରଙ୍କୁ ବାରମ୍ବାର ନିବେଦନ କରିବା ପରେ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗତ ଜୁଲାଇ ୯ ତାରିଖରେ ପ୍ରାୟ ଅଢ଼େଇ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ପର୍ଯ୍ଯନ୍ତ ରାଜସ୍ୱ ଅମଲା ସଂଘର ଶୀର୍ଷ ନେତୃବୃନ୍ଦଙ୍କ ସହିତ ଆଲୋଚନା କରି ଅତିଶୀଘ୍ର ଅର୍ଥାତ୍ ୭ ରୁ ୧୫ ଦିନ ଭିତରେ ଦାବିଗୁଡିକୁ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ, ଫଳ ସ୍ବରୂପ ୧୪ ଜୁଲାଇକୁ ହେବାକୁ ଥିବା ରାଜସ୍ବ ଅମଲା ମାନଙ୍କ ତରଫରୁ ରାଜ୍ୟବ୍ୟାପୀ ପ୍ରସ୍ତାବିତ ଆନ୍ଦୋଳନ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ରାଜ୍ଯ ସଂଘ ନିଷ୍ପତ୍ତି ନେଇଥିଲା। କିନ୍ତୁ, ଅଗଷ୍ଟ ୧୦ ତାରିଖ ସୁଦ୍ଧା ରାଜ୍ଯ ସରକାର ରାଜସ୍ବ ଅମଲା ମାନଙ୍କର ଦାବିଗୁଡିକୁ ପୂରଣ କରିବା ତ ଦୂରର କଥା, ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ସେମାନଙ୍କୁ ପ୍ରବଳ ଆଘାତ ଦେବା ଭଳି ରାଜସ୍ବ ସେବା ପଦ୍ଧତିରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପଦୋନ୍ନତିକୁ ୪୦% ରୁ ୩୩% କରିବା ସହ ଲେବେଲ-୯ ରେ ଜଣେ ଜିଲ୍ଲା ସ୍ତରୀୟ ରାଜସ୍ୱ କର୍ମଚାରୀ ୬ ବର୍ଷ ଦରମା ପାଇଲେ ଯୋଗ୍ୟ ହେବ ବୋଲି ନିର୍ଦ୍ଦେଶାନାମା ଜାରି କରିଥିଲେ। ଯାହା ଫଳରେ ସମସ୍ତ ରାଜସ୍ବ ଅମଲାମାନଙ୍କ ମଧ୍ଯରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରକାଶ ଥାଉକି, ଜିଲ୍ଲା ସ୍ତରୀୟ ରାଜସ୍ୱ ଅମଲା ମାନଙ୍କ ପଦବୀ ପୁନର୍ଗଠନ ଆଳରେ ବର୍ଷ ବର୍ଷ ଧରି ସାଧାରଣ ପଦୋନ୍ନତିକୁ ଅଟକାଇ ରଖାଯିବା ଫଳରେ ସେମାନଙ୍କ ମଧ୍ଯରୁ ଅନେକ ପଦନ୍ନୋତି ପୂର୍ବରୁ ଅବସର ଗ୍ରହଣ କରିସାରିଛନ୍ତି l ସେମାନେ ତାଙ୍କର ନାର୍ଯ୍ଯ ପ୍ରାପ୍ତିରୁ ସବୁଦିନ ପାଇଁ ବଞ୍ଚିତ ହୋଇଗଲେ l ଜିଲ୍ଲା ସ୍ତରୀୟ ରାଜସ୍ଵ ଅମଲା ମାନେ ଦକ୍ଷତାର ସହ ରାଜ୍ଯ ସରକାରଙ୍କ ପ୍ରତ୍ୟେକ ଜନହିତକର ଯୋଜନା ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ସିମୀତ ସମୟ ସୀମାରେ ତାଙ୍କର କାର୍ଯ୍ୟଗୁଡ଼ିକୁ କରି ଯୋଗାଇ ଦେଇ ଆସୁଥିଲେ ମଧ୍ଯ ସରକାର ସେମାନଙ୍କୁ ଅଣଦେଖା କରି ଆସୁଛନ୍ତି।
ସେମାନଙ୍କର ଦାବି ଗୁଡିକ ମଧ୍ୟରେ ପ୍ରମୁଖ ଦାବିଗୁଡିକ ହେଲା, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଓଆରଏସପି-୨୦୧୭ ନିୟମ ଅନୁଯାଇ ଲେବେଲ୍- ୯ କୁ ବୃଦ୍ଧି କରାଇବା, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ସଂକଳ୍ପ ପତ୍ର ସଂଖ୍ୟା :- ୮୮୯୮ ତାରିଖ- ୧୫-୦୩-୨୪ ଅନୁଯାୟୀ ତଥା ସମସ୍ତ ୩୦ ଗୋଟି ଜିଲ୍ଲାପାଳ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯିବା, ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବା, ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ୍ ଯୋଜନା ରେ ଅନ୍ତର୍ଭୁକ୍ତ କରାଯିବା ଇତ୍ୟାଦି ଅଛି।
ଜନସାଧାରଣ ଏହି ଆନ୍ଦୋଳନ ଫଳରେ ସରକାରୀ ସେବା ପାଇବା ପାଇଁ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ସେ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ସଦର ମହକୁମା ଓ ବାଲିଗୁଡା ସଦର ମହକୁମା ଦୁଇଟି ଧାରଣାସ୍ଥଳିରେ ଜିଲ୍ଲାର ପ୍ରାୟ ୨୬୮ ଜଣ ରାଜସ୍ବ ଅମଲା ଅନ୍ଦୋଲୋନରେ ସାମିଲ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ