ବାରିପଦା, ୧୧ ଅଗଷ୍ଟ (ହି.ସ.)- ଓଡ଼ିଶା ରାଜସ୍ୱ ଅମଲା ସଂଘର ୧୦ ଦଫା ଦାବି ନେଇ ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ପୂର୍ବ ଘୋଷଣା ମୁତାବକ, ମୟୁରଭଞ୍ଜ ଜିଲ୍ଲାର ସମସ୍ତ ଅମଲା ମାନେ ଆନ୍ଦୋଳନରେ ଜଡିତ ହୋଇଛନ୍ତି। ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ୱରୂପ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କର ୧୦ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରୁଛନ୍ତି। ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ଦୀର୍ଘଦିନ ଦାବି ପୂରଣ କରିବା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଜିଲ୍ଲାସ୍ତରରେ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଦାବି ଗୁଡିକ ମଧ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଓଆରଏସପି-୨୦୧୭ ନିୟମ ଅନୁଯାଇ ଲେବେଲ-୯ କୁ ବୃଦ୍ଧି କରିବା। ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଦତ୍ୱ ତଥ୍ୟ ଆଧାରରେ ନୂତନ ପଦବୀ ସୃଷ୍ଟି ଓ ପୁନର୍ଗଠନ କରିବା। ଓଡ଼ିଶା ରାଜସ୍ଵ ସେବା ପଦ୍ଧତିରେ ରାଜସ୍ୱ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି କରିବା। ନୂତନ ରାଜସ୍ୱ ସହାୟକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ପ୍ରଦାନ କରିବା। ନୂତନ ପେନସନ ସ୍କିମ ପରିବର୍ତେ ପୁରାତନ ପେନସନ ସ୍କିମକୁ କାର୍ଯ୍ୟକାରୀ କରିବା। ଏହି ପରିପ୍ରେକ୍ଷୀରେ ପୂର୍ବରୁ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଏବଂ ବିଭିନ୍ନ ମାଧ୍ୟମରେ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି। କିନ୍ତୁ ରାଜ୍ୟ ସରକାର କୋଣସି ପଦକ୍ଷେପ ଗ୍ରହଣ ନକରିବାରୁ ଦାବି ପୂରଣ ନିମନ୍ତେ ପୂର୍ବରୁ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିଥିଲେ। ଏହାପରେ ମଧ୍ୟ ଦାବି ପ୍ରତି ରାଜ୍ୟ ସରକାର ଦୃଷ୍ଟି ନଦେବାରୁ ଅଗଷ୍ଟ ୧୧ ତାରିଖରୁ ସମ୍ପୂର୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି କାର୍ଯ୍ୟ ବନ୍ଦ କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ