ମାଲକାନଗିରି, ୧୧ ଅଗଷ୍ଟ (ହି.ସ.)- ସ୍ୱର୍ଗତଃ କବି ବଳରାମ ପୂଜାରୀ ସ୍ମୃତି ସଂସଦ, କୁଡୁମୁଲୁଗୁମ୍ମା ତରଫରୁ ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟ ନିକଟରେ କବିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଅନାବରଣ କରାଯିବା ସହ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି l ଦିନ ୧୧ଟା ସମୟରେ ବହୁ ବିଶିଷ୍ଟ ସାହିତ୍ୟିକ, କବି/କବ୍ୟୟିତ୍ରୀ, ଶିକ୍ଷାବିତ, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ କବି ବଳରାମ ପୂଜାରୀଙ୍କ ପିତା ଇନ୍ଦ୍ରମଣି ପୂଜାରୀ ଏବଂ ତାଙ୍କ ଶ୍ୱଶୁର ବାଳକୃଷ୍ଣ ରଣାଙ୍କ କରକମଳରେ କବିଙ୍କ ପ୍ରତିମୂର୍ତ୍ତି ଉଦ୍ଘାଟନ କରାଯାଇଥିଲା l ଏହାପରେ ସ୍ମୃତି ସଭାର ଆୟୋଜନ କରାଯାଇଥିଲା l ସଭା ମଞ୍ଚରେ ଅତିଥି ଭାବେ ରାଜେନ୍ଦ୍ର ପାଢ଼ୀ ଆଦିବାସୀ ସଂସ୍କୃତି ଗବେଷକ, ବୈଶାଖୀ ପରିବାର, କୁଲାବୀର, ପାଡୁଆ ର ସଭାପତି, ବୁଲୁ ହୋତା ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ, ନବରଙ୍ଗପୁର, ସାଇମନ ବିଡ଼ିକା ଦେଶିଆ କୁଟୁମ୍ବ ସଭାପତି , କବୀ ଝାନ୍ସୀ ସିଂ ଅଧ୍ୟକ୍ଷl ଶ୍ରୀତମ କଲେଜ, ସେମିଳିଗୁଡା, ଦଣ୍ଡପାଣି ମହାପାତ୍ର ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମହାସଚିବ, ଗଞ୍ଜାମ , ହେମନ୍ତ ଦଳପତି ଅଧ୍ୟାପକ ଡାଏଟ୍, ଚିତ୍ରକୋଣ୍ଡା, ରାମହରି ସାହୁ ବରିଷ୍ଠ ସାମ୍ବାଦିକ, କୁଡୁମୁଲୁଗୁମ୍ମା ଏବଂ କବିଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ରଣା ମଞ୍ଚାସୀନ ଥିଲେ l ସମସ୍ତ ଅତିଥି କବିଙ୍କ ସ୍ମୃତି ଚାରଣ କରିବା ସହିତ ଆଗାମୀ ଦିନରେ କବିଙ୍କ ନାମରେ ଯେଉଁ ସ୍ମୃତି ସଂସଦ ଗଠନ କରାଯାଇଛି ତାହା କିଭଳି ଭାବରେ ସୁଦୃଢ ହୋଇ ପାରିବ ସେ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ l କବି ବଳରାମ ପୂଜାରୀଙ୍କ ଛଅ ଗୋଟି କବିତା ସଂକଳନ ପ୍ରକାଶିତ ହୋଇଥିବା ସ୍ଥଳେ ଆହୁରି ଅନେକ ଅପ୍ରକାଶିତ ଲେଖା ରହିଯାଇଛି l ତାହାର ପାଣ୍ଡୁ ଲିପିକୁ ସଂଗ୍ରହ କରି ତାହାର ପ୍ରକାଶନ ଦାୟିତ୍ୱ ହାତକୁ କିପରି ନିଆଯିବ ସେ ସମ୍ବନ୍ଧରେ ମତ ପ୍ରକାଶ ପାଇଥିଲା l କବିଙ୍କ ସ୍ମୃତିକୁ ସବୁଦିନ ଉଜ୍ଜୀବିତ ରଖିବା ପାଇଁ କବିପତ୍ନୀ ଙ୍କ ଏଭଳି ଉଦ୍ୟମକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ l
କବୀ ବିଜୟାଶ୍ରୀ ପାଣିଗ୍ରାହୀ ମଞ୍ଚ ପରିଚାଳନା ଦାୟିତ୍ୱ ଖୁବ୍ ସୁନ୍ଦର ଭାବରେ ନିଭାଇଥିଲେ l ସମାଜସେବୀ ଭଗବାନ ସାହୁ, ବାଳକୃଷ୍ଣ ପ୍ରଧାନ, ରମେଶ ଚନ୍ଦ୍ର ନେଲୁର, ଅଶୋକ ପ୍ରଧାନ, ରୁଦ୍ରାଭିଷେକ ପୂଜାରୀ, ଗୋପୀ ପାଙ୍ଗି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ l ବଳରାମ ପୂଜାରୀଙ୍କ ନାମରେ ସମସ୍ତେ ଗୋଟିଏ ଲେଖାଏଁ ଗଛ ନେଇ ନିଜ ବାଡ଼ିରେ ଲଗେଇ ଯତ୍ନ ନେବା ପାଇଁ ନଡ଼ିଆ, ଆମ୍ବ, ପିଜୁଳି ଚାରା ବଣ୍ଟନ କରାଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ