ବାରିପଦା, ୧୧ ଅଗଷ୍ଟ (ହି.ସ.)- ସ୍ଥାନୀୟ ତକତପୁର ସ୍ଥିତ ଏମପିସି ସ୍ଵୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଅଶାନ୍ତି ଥମିବାର ନାଁ ଧରୁନାହିଁ। କିଛି ଦିନର ବ୍ୟବଧାନ ପରେ ପୁଣି ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ବିଳମ୍ବକୁ ନେଇ ଛାତ୍ରଛାତ୍ରୀ ମାନେ ସୋମବାର କଲେଜ ଫାଟକରେ ତାଲା ପକାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଉକ୍ତ ମହାବିଦ୍ୟାଳୟର ଯୁକ୍ତ ତିନିର ୨୦୨୩ ଶିକ୍ଷାବର୍ଷର ଛାତ୍ରଛାତ୍ରୀ ମାନଙ୍କ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। ଅନେକ ଦିନ ହେବ ପରୀକ୍ଷା ଦେଇଥିଲେ ସୁଦ୍ଧା କଲେଜ କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ପ୍ରକାଶ ହୋଇ ପାରିନାହିଁ। ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କ ଅନେକ ସମସ୍ୟା ହେଉଥିବା ବେଳେ ପାସ ହାର ମଧ୍ୟ କମିଯାଉଛି। ଦୁର୍ଗାପୂଜା ପରେ ଚତୁର୍ଥ ସେମିଷ୍ଟରର ପରୀକ୍ଷା ରହିଛି। ଯେଉଁମାନଙ୍କ ପୂର୍ବର ସେମିଷ୍ଟର ପରୀକ୍ଷାରେ ବ୍ୟାକ ରହିଥିବ। ସେମାନେ ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। କିନ୍ତୁ ପରୀକ୍ଷା ଫଳ ବାହାରି ନଥିବା ବେଳେ ପାସ କି ଫେଲ ହେଲେ ଜାଣି ପାରୁନାହାଁନ୍ତି। ଏହାସହିତ ଆଗକୁ ଥିବା ପରୀକ୍ଷାର ୩/୪ଦିନ ପୂର୍ବରୁ ଫଳ ପ୍ରକାଶ ପାଇଲେ, ସେମାନେ କମ ସମୟ ବ୍ୟବଧାନରେ ଅନ୍ୟ ପରୀକ୍ଷା ପାଇଁ କିପରି ପ୍ରସ୍ତୁତି କରିବେ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଏନେଇ ପୂର୍ବରୁ କଲେଜ ଅଧ୍ୟକ୍ଷା ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ଯାହାକୁ ନେଇ ପୂର୍ବରୁ କଲେଜ ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ କରିବା ସହ ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଚ୍ଚଶିକ୍ଷା ବିଭାଗର ବାଲେଶ୍ଵର ଜୋନ ଆଞ୍ଚଳିକ ନିର୍ଦ୍ଦେଶକ ହେମନ୍ତ ଘଡେଇଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ମହାବିଦ୍ୟାଳୟର ଭାରାପ୍ରାପ୍ତ ଅଧ୍ୟକ୍ଷା ଓ ଅନ୍ୟାନ୍ୟ ଅଧିକାରୀ ଅନୁଧ୍ୟାନ କରିଥିଲେ। ପରୀକ୍ଷା ଫଳ ତୁରନ୍ତ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୟୁଜି ସମସ୍ତ ବ୍ୟାକ ପେପର ୩/୪ଦିନ ମଧ୍ୟରେ ଓ ତୃତୀୟ ସେମିଷ୍ଟର ଏବଂ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ମାସକ ମଧ୍ୟରେ ପ୍ରକାଶ ପାଇବ ବୋଲି କହିଥିଲେ। ଏହାସହିତ ଶୌଚାଳୟ, ଲାଇବ୍ରେରୀରେ ପୁସ୍ତକ ଅଭାବ, ଆଇ କାର୍ଡ ଆଦି ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମାସେ ପରେ ମଧ୍ୟ ପରୀକ୍ଷା ଫଳ ପ୍ରକାଶ ହେଲା ନା ସମସ୍ୟାର ସମାଧାନ କରାଗଲା। ୫୦ ପ୍ରତିଶତ ସିଲାବସ୍ କମାଇବା ପାଇଁ ଦାବି ମଧ୍ୟ ପୂରଣ ହେଲାନାହିଁ। କେବଳ ପରୀକ୍ଷା ନିୟନ୍ତ୍ରକଙ୍କୁ ବଦଳି କରାଯାଇଛି। ଏନେଇ ବାରମ୍ବାର ଅଭିଯୋଗ ଜଣାଇଲେ କର୍ତ୍ତୃପକ୍ଷ କୌଣସି ସମାଧାନ କରିଲେ ନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
କଲେଜ ଅଧ୍ୟକ୍ଷା ଓ ପରୀକ୍ଷା ନିୟନ୍ତ୍ରକ ବିକ୍ଷୋଭରତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ତେବେ ଉକ୍ତ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନ ହେବା ପର୍ଯ୍ୟନ୍ତ ଛାତ୍ର ଅସନ୍ତୋଷ ମୁଣ୍ଡ ଟେକିବ ବୋଲି ଛାତ୍ରଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ