ବାରିପଦା, ୧୧ ଅଗଷ୍ଟ (ହି.ସ.)- ଅଦୃଶ୍ୟ ସାଇବର ଠକଙ୍କ ଜାଲରେ ଫସି ମହିଳା ଜଣକ ଠକେଇର ଶିକାର ହୋଇ ୨ଲକ୍ଷ ୮୦ ହଜାର ଟଙ୍କା ହରାଇଛନ୍ତି। ଏନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣାଘାଟି ଅଞ୍ଚଳର ଅସୀମା ମହାନ୍ତି ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ କଲ ଆସିଥିଲା। ସମ୍ପୃକ୍ତ ବ୍ୟକ୍ତି ନିଜକୁ ଏକ କମ୍ପାନୀର ସିଇଓ ଭାବେ ପରିଚୟ ଦେଇଥିଲେ। ଏହାପରେ ହ୍ଵାଟ୍ସଆପ ଜରିଆରେ ମେସେଜ କରି ଅନଲାଇନ ଟାସ୍କ କରିବାକୁ କହିଥିଲେ। ଏହା କରିବା ଦ୍ୱାରା ତାଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ। ଏହାକୁ ନେଇ ପ୍ରଦତ ଟାସ୍କ ଅନୁଯାୟୀ କାର୍ଯ୍ୟ କରିଥିଲେ। ଏହାର କିଛି ଦିନ ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅସୁବିଧା ପରିଲକ୍ଷିତ ହୋଇଥିଲା। ଯାହାକୁ ନେଇ ଯାଞ୍ଚ କରିଥିଲେ। ତେବେ ତାଙ୍କ କ୍ରେଡିଟ କାର୍ଡ, ଡେବିଟ କାର୍ଡ ଓ ଫୋନ ପେ ଜରିଆରେ ପର୍ଯ୍ୟାୟ କ୍ରମେ ସମୁଦାୟ ୨ଲକ୍ଷ ୮୦ ହଜାର ଟଙ୍କା ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ବୋଲି ଜାଣିବାକୁ ପାଇଥିଲେ। ଏନେଇ ସେ ଉକ୍ତ କମ୍ପାନୀକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇନଥିଲା। ତେବେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅସୀମା ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ