ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.)- ଭୁବନେଶ୍ୱର ପୌର ନିଗମ ଅନ୍ତର୍ଗତ ବି.ଜେ.ବି ନଗର ସ୍ଥିତ ମଇଁଷିଖାଲ ବସ୍ତି ରାଜୀବ ଆବାସ ଆପର୍ଟମେଂଟରେ ଜଣ୍ଡିସ ଦେଖାଦେଇଥିବା ଖବର ମିଳିବା ମାତ୍ରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଟିମ୍ (ରାପିଡ୍ ରେସ୍ପନସ୍ ଟିମ୍) ତରଫରୁ ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଇତି ମଧ୍ୟରେ ସଂପୃକ୍ତ ବସ୍ତିରେ ହେଲଥ୍ ଟିମ୍ ପହଂଚି ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହ ମିଳିତ ଭାବେ କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ବର୍ତମାନ ସୁଦ୍ଧା ସମୁଦାୟ ୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଆବଶ୍ୟକୀୟ ଚିକିତ୍ସା ଓ ପରାମର୍ଶ ଦିଆଯାଇଛି। କୌଣସି ସଂକ୍ରମିତ ରୋଗୀ ଗୁରୁତର ହୋଇନାହାନ୍ତି କିମ୍ବା କେହି ହସ୍ପିଟାଲରେ ଆଡମିସନ୍ ହୋଇନାହାନ୍ତି।
ପ୍ରାପ୍ତ ସୂଚନା ଅନୁସାରେ ସେହି ବସ୍ତି ଓ ଆପାର୍ଟମେଂଟର ୩ ଟି ସ୍ଥାନରୁ ପାଣି ନମୁନା ଏବଂ ୫ ଟି ରକ୍ତ ନମୁନା ସଂଗ୍ରହ କରାଯାଇଛି। ସଂଗୃହିତ ରକ୍ତ ନମୁନାରୁ ୪ ଟିରେ ହେପାଟାଇଟିସ୍ ଏ ଭାଇରସ୍ ଚିହ୍ନଟ କରାଯାଇଛି । ପାଣି ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସୂଚନାଯୋଗ୍ୟ, ଏଠାରେ ଗଭୀର ନଳକୂପ ପାଣି ପ୍ରକ୍ରିୟା କରଣ କରି ୱାଟକୋ ମାଧ୍ୟମରେ ଯୋଗାଇ ଦିଆଯାଏ। ତେଣୁ ପାଣି ମାଧ୍ୟମରେ ସଂକ୍ରମଣର ସମ୍ଭାବନା ବହୁତ କମ୍ । ସ୍ୱତନ୍ତ୍ର ଖାଦ୍ୟ ନିରାପତା ଟିମ୍ ମଧ୍ୟ ବସ୍ତି ଓ ଆଖପାଖ ଅଂଚଳରେ ଯାଂଚ୍ କାମ ଜାରି ରଖିଛନ୍ତି ।
ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଜଣ୍ଡିସ୍ ସଂକ୍ରମଣ ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଆଉ ଅଧିକ ବ୍ୟକ୍ତି ବା ବସ୍ତି ସଂକ୍ରମିତ ହୋଇନାହାନ୍ତି। ନିଜର ପରିବାରର ସୁରକ୍ଷା ପାଇଁ ବାହାରର ଖାଦ୍ୟ ନ ଖାଇବା ଏବଂ ନିରାପଦ ପାଣି ପିଇବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା