ପୁରୀ, ୧୧ ଅଗଷ୍ଟ (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆରମ୍ଭ ହୋଇଛି ଅଭ୍ୟାସ ପ୍ୟାରେଡ଼।ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ଅପରାହ୍ନ ୩ଟା ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ ଅଭ୍ୟାସ କରିଥିଲେ।ପୋଲିସ ରିଜର୍ଭ ଇନିସପେକ୍ଟର ତଥା ପ୍ୟାରେଡ଼ କମାଣ୍ଡର ଚିତ୍ତ ରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ଅଭ୍ୟାସ ଆରମ୍ଭ ହୋଇଛି। ଏହି ଅଭ୍ୟାସ ମଧ୍ୟ ଆସନ୍ତାକାଲି ୧୨ ତାରିଖ ଅପରାହ୍ନ ୩ଟା ଓ ୧୩ ତାରିଖ ପୂର୍ବାହ୍ନ ୮ଟା ସମୟରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ବ୍ୟବସ୍ଥା, ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ଅଗ୍ନି ନିର୍ବାପକ ଓ ପ୍ୟାରେଡ଼ ଗ୍ରାଉଣ୍ଡରେ ଜଳ ସିଞ୍ଚନ ବ୍ୟବସ୍ଥା, ମୁଖ୍ୟ ଚିକିତ୍ସା ବିଭାଗ ପକ୍ଷରୁ ଚିକିତ୍ସା ସୁବିଧା, ୱ୍ବାଟକୋ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା, ପୌରପାଳିକା ପକ୍ଷରୁ ପରିଷ୍କାର ପରିଛନ୍ନତା ବ୍ୟବସ୍ଥା କରାଯାଇଛି। ଅଭ୍ୟାସ ପ୍ୟାରେଡ଼ ଅବସରରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ବ୍ୟାଙ୍କ ଙ୍କ ସହଯୋଗରେ ପିଲା ମାନଙ୍କୁ ବିସ୍କୁଟ ମଧ୍ୟ ପ୍ରଦାନ କରାଯାଇଥିଲା।
ଏହି ଅଭ୍ୟାସ ପାରେଡରେ ଆରକ୍ଷୀ ବାହିନୀ, ଶ୍ରୀମନ୍ଦିର ସୁରକ୍ଷା ବାହିନୀ, ସେଣ୍ଟ ଜନ ଆମ୍ବୁଲାନ୍ସ ପୁରୀ ସେବା ସମିତି, ପୋଲିସ ବ୍ୟାଣ୍ଡ ଦଳ, ବିଭିନ୍ନ ଶିକ୍ଷାନୁଷ୍ଠାନର ଏନସିସି, ସ୍କାଉଟ, ଗାଇଡ ର କ୍ଯାଡେଟମାନେ ଅଂଶଗ୍ରହଣ କରିଥିଲେ। ସ୍ବାଧୀନତା ଦିବସ ପାରେଡରେ ଶ୍ରେଷ୍ଠ ଦଳଙ୍କୁ ସ୍ବାଧୀନତା ଦିବସର ମୁଖ୍ୟ ଅତିଥି ୧୫ ଅଗଷ୍ଟରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ରେ ସମ୍ବର୍ଦ୍ଧିତ କରିବେ।
ହିନ୍ଦୁସ୍ଥାନ ସମାଚାର / ବିଜୟ