ଧର୍ମଶାଳା, ୧୧ ଅଗଷ୍ଟ(ହି.ସ.) – ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାରେ ନିୟନ୍ତ୍ରଣ ବାହାରେ ଟ୍ରାଫିକ୍ ସମସ୍ୟା। ଅସହ୍ୟ ଖରା ଓ ଗୁଳଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏବେ ଟ୍ରାଫିକ୍ ସମସ୍ୟା ଜନସାଧାରଣଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଛି। ଆଜି ବ୍ରହ୍ମବରଦା ବ୍ୟାଙ୍କଛକ ନିକଟରେ ଅସମ୍ଭାଳ ଭିଡ ଯୋଗୁଁ ଶହଶହ ଲୋକେ ରାସ୍ତାରେ ଛିଡା ହୋଇ ନାହା ଅସୁବିଧାର ସମ୍ମୁଖୀନ ହୋଇ ଥିଲେ। ବିଶେଷ କରି ସୁଭଦ୍ରା ଯୋଜନାରେ ଆସିଥିବା ଟଙ୍କାକୁ ଉଠାଇବା ପାଇଁ ବ୍ୟାଙ୍କ ସମ୍ମୁଖରେ ଅସମ୍ଭାଳ ଗ୍ରାହକମାନଙ୍କ ଭିଡ ଜମି ଥିଲା। ବ୍ୟାଙ୍କର ସେପରି ପାକିଂ ସୁବିଧା ନ ଥିବାରୁ ଅନେକ ଗ୍ରାହକ ରାସ୍ତା ଉପରେ ଗାଡି ରଖିବାକୁ ବାଧ୍ୟ ହୋଇ ଥିଲେ। ଯାହାକୁ ନେଇ ପରିସ୍ଥିତି ଜଟିଳ ହୋଇପଡିଥିଲା। ଖରା ଓ ଅସହ୍ୟ ଗୁଳଗୁଳିରେ ଘଂଟା ଘଂଟା ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ ବରୁହାଁ - ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତା ପୁରୁଣା ଫାଣ୍ଡିଛକଠାରୁ ବ୍ୟାଙ୍କଛକ ଓ ବଜାର ହାଟ ପର୍ଯ୍ୟନ୍ତ ରାସ୍ତାରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ସ୍ଥାନମାନଙ୍କରେ ମୁଖ୍ୟ ରାସ୍ତା ଦିନକୁ ଦିନ ସଙ୍କୁଚିତ ହେବା ସହିତ କିଛି ମୁଷ୍ଟିମେୟ ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନକୁ ବଢାଇ ଚାଲିଛନ୍ତି। ସରକାରୀ ଜମିକୁ ମାଡି ବସିବା ଫଳରେ ରାସ୍ତାରେ ଦୁଇଟି ଭାରିଯାନ ଚାଲିବା ଅସମ୍ଭବ ହୋଇପଡୁଛି। ଜନସାଧାରଣ ଘଂଟା ଘଂଟା ଧରି ରାସ୍ତା ଉପରେ ଛିଡା ହୋଇ ଅଣନିଶ୍ୱାସୀ ହୋଇପଡୁଥିଲେ ମଧ୍ୟ ନିକଟରେ ଥାନା ଥାଇ ମଧ୍ୟ କୌଣସି ତତ୍ପରତା ପ୍ରକାଶ କରି ନ ଥିବା ଦେଖିବାକୁ ମିଳିଥିଲା।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ