ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.)- ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସୋମବାର ଦିନ ଏକାମ୍ର ନିର୍ବାଚନ ମଣ୍ଡଳୀର ବାରଭୂଜା ମଣ୍ଡଳର ରଘୁନାଥ ନଗର ଅଟୋ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ଡୁମୁଡୁମା ମୁଖ୍ୟ ବଜାର ବାଟ ଦେଇ ବାରଭୂଜା ମଣ୍ଡଳ କାର୍ଯ୍ୟାଳୟ ପଯ୍ୟନ୍ତ ହର ଘର ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ବାବୁ ସିଂ କହିଛନ୍ତି ସ୍ୱାଧୀନତାର ୭୬ ବର୍ଷ ପରେ ରାଷ୍ଟ୍ର ଭକ୍ତି ଜାତୀୟତାବାଦ, ଦେଶଭକ୍ତି ଓ ଦେଶରେ ଏକତା ଅଖଣ୍ଡତା ରକ୍ଷା କରିବା ପାଇଁ ଏବଂ ଦେଶକୁ ଶକ୍ତିଶାଳୀ କରିବା ଦେଶର ୧୪୦କୋଟି ଲୋକଙ୍କୁ ଦଳ, ମତ, ଜାତି ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ୍ କରିବା ନିହାତି ଆବଶ୍ୟକ । ସମସ୍ତଙ୍କୁ ଦେଶ ମାତୃକାର ସେବା କରିବା ଓ ଭାରମାତାର ପୂଜନ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଛି । ସମାଜର ୭୨ ଭାଗ ହେଉଛି ଯୁବ ସମାଜ ଏବଂ ବିଶେଷ କରି ଏହି ଯୁବ ସମାଜ ଏଥିରେ ଅନୁପ୍ରାଣିତ ହୋଇଛନ୍ତି। ଗତ କିଛିବର୍ଷ ଧରି ପାର୍ଟିର କାର୍ଯ୍ୟକର୍ତାମାନେ ସମସ୍ତ ଦେଶବାସୀଙ୍କ ସହ ମିଶି ସାରା ଦେଶରେ ହର୍ଷୋଲ୍ଲାସ ସହିତ ଦେଶର ଏକତା ତଥା ଅଖଣ୍ଡତା ଉଦ୍ଦେଶ୍ୟରେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ‘ହର ଘର ତ୍ରିିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ଓ ଅନୁଷ୍ଠାନରେ ‘ହର ଘର ତ୍ରିରଙ୍ଗା’ ଉତୋଳନ କରାଯିବା ସହିତ ମହାପୁରୁଷ ଏବଂ ବରପୁତ୍ରମାନଙ୍କ ପ୍ରତିମୂର୍ତି ଓ ସ୍ମାରକୀ ଉପରେ ପୁଷ୍ପାଞ୍ଜଳୀ ଅର୍ପଣ କରାଯିବ।ଏକାମ୍ର ର ବିଭିନ୍ନ ସ୍ଥାନରେ ହର ଘର ତ୍ରିିରଙ୍ଗା ଯାତ୍ରା କରାଯିବ। ସାଧାରଣ ଜନତା ମଧ୍ୟ ଏ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଧାୟକ ଶ୍ରୀ ସିଂ ଏକାମ୍ର ବାସୀଙ୍କୁ ନିବେଦନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ନିରଞ୍ଜନ ମିଶ୍ର,ବାରଭୂଜା ମଣ୍ଡଳ ସଭାପତି ଜିତୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା