ବାରିପଦା, ୧୨ ଅଗଷ୍ଟ (ହି.ସ.)- ବାରିପଦାରେ ଚୋରି ଓ ଛିନତାଇ ଗ୍ୟାଙ୍ଗ କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି। ପୁଣି ତାଲାବନ୍ଦ ଘରୁ ଚୋରି କରିଛନ୍ତି। ଏନେଇ ବାଉରା ଗ୍ରାମର ଚନ୍ଦ୍ର ମାର୍ଣ୍ଡି ବାରିପଦା ସଦର ଥାନାରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ବିଲକୁ ଚାଷ କାମ ପାଇଁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଚୋରି କରିଛନ୍ତି। ତାଲାବନ୍ଦ ଘରେ ଦୁର୍ବୁତ୍ତ ମାନେ ପଶି କଳା କନା ବୁଲାଇଥିଲେ। ଆଲମାରୀ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ଓ ୪୦ ହଜାର ଟଙ୍କା ଚୋରି କରିଛନ୍ତି। ସେହିପରି ତାଙ୍କ ପଡ଼ୋଶୀ ସଲମା ହେମ୍ବ୍ରମଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ୧୦ ହଜାରଟଙ୍କା ଚୋରି କରିଛନ୍ତି। ଏ ବାବଦରେ ସେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ବାରିପଦା ସହର ଓ ଆଖପାଖ ଅଞ୍ଚଳରେ ତାଲା ବନ୍ଦ ଘରୁ ଚୋରି ହୋଇଥିବା ବେଳେ ପୁଲିସ ଚୋରଙ୍କୁ ଧରିବାରେ ବିଫଳ ରହିଛି। ଯାହାକୁ ନେଇ ପୁଲିସ ଉପରୁ ସାଧାରଣ ଜନତାଙ୍କ ଭରସା ଉଠିବାରେ ଲାଗିଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ