ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ବିଶ୍ବ ହସ୍ତୀ
ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ବିଶ୍ବ ହସ୍ତୀ ଦିବସ' ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ହାତୀ ଆମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ଗୌରବ ଓ ଅରଣ୍ୟ
ପରିତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ଆରମ୍ଭକରି ଓଡ଼ିଶାର
ଗୌରବୋଜ୍ଜଳ ଇତିହାସର ସ୍ବର୍ଣ୍ଣିମ ସ୍ବାକ୍ଷର କୋଣାର୍କ ଯାଏ ସବୁଠାରେ ହାତୀ ପରିଦୃଷ୍ଟ ।
ଜୈବବିବିଧତାର ସୁରକ୍ଷାରେ ହାତୀର ମହତ୍ତ୍ବପୂର୍ଣ୍ଣ ଭୂମିକା ତାକୁ 'ପରିବେଶ ଯନ୍ତ୍ରୀ' ଭାବେ ଗ୍ରହଣ କରାଯାଇଛି । ଆମ ଜଙ୍ଗଲର ସ୍ବାସ୍ଥ୍ୟ ଓ ସମୃଦ୍ଧି
ଏହି 'ପରିବେଶ ଯନ୍ତ୍ରୀ' ଉପରେ ବହୁଳ ଭାବେ
ନିର୍ଭରଶୀଳ । ବିଭିନ୍ନ କାରଣ ପାଇଁ ବୈଶ୍ବକସ୍ତରରେ ଅବକ୍ଷୟମୁଖି ହାତୀମାନଙ୍କର ସଂରକ୍ଷଣ କରିବା
ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ ।
ଆମ ସରକାର ହାତୀମାନଙ୍କ
ନିରାପଦ ଭବିଷ୍ୟତ ପାଇଁ ଦୃଢ଼ ପ୍ରତିଶୃତି ବଦ୍ଧ । ସେଥିପାଇଁ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ଓ
ସମୃଦ୍ଧିକରଣ ସହ ବୈଜ୍ଞାନିକ ପଦ୍ଧତିରେ ମଣିଷ-ହାତୀ ସଂଘର୍ଷ ହ୍ରାସକରିବା ଦିଗରେ ନିରନ୍ତର
କାର୍ଯ୍ୟ କରୁଛନ୍ତି । ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନପାଇଁ
ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉଛି, ସେଥିମଧ୍ୟରୁ
ଅନୁକମ୍ପାମୂଳକ ସହାୟତାରାଶିର ଅଭିବୃଦ୍ଧି ଅନ୍ୟତମ। ସମସ୍ତଙ୍କର ମିଳିତ ପ୍ରୟାସ ଦ୍ବାରା
ଭାରତବର୍ଷର ଜାତୀୟ ଐତିହ୍ୟ ପ୍ରାଣୀକୁ ସୁରକ୍ଷିତ ରଖିପାରିବା।
ଆସନ୍ତୁ, ଏହି ଅବସରରେ ଆମେ ସମସ୍ତେ ମିଳି ମିଶି ହାତୀସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ
ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା