ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.) 79ତମ
ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଯାଉଥିବା
ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗଞ୍ଜାମ ଜିଲ୍ଲାର ଏକମାତ୍ର ଲକ୍ଷପତି ଦିଦି ଏସ୍.
ଜ୍ୟୋତି ରେଡ୍ଡୀଙ୍କୁ ନିମନ୍ତ୍ରଣ ଆସିଛି । ଜିଲ୍ଲାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ
ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧିନସ୍ଥ କାଳିଆବାଲି ଗ୍ରାମର ଜ୍ୟୋତି ରେଡ୍ଡି ରାଜ୍ୟରେ ଜଣେ ସଫଳ
ଲକ୍ଷପତି ଦିଦି ଭାବରେ ଚୟନ ହୋଇଛନ୍ତି । ଏସ୍. ଜ୍ୟୋତି ରେଡ୍ଡୀ, ଜଣେ ଗ୍ରାଜୁଏଟ୍ । 2008 ମସିହାରେ ପ୍ରଥମେ ଏକ
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ସାମିଲ ହୋଇ ଘରକୁ ଘର ବୁଲି ବିଦ୍ୟୁତ ବିଲ୍ ସଂଗ୍ରହ କରୁଥିଲେ
। ପରେ ସେହି ଅର୍ଥରେ ସ୍ବାବଲମ୍ବୀ ହେବା ସମ୍ଭବ ନଥିବା ଅନୁଭବ କରିଥିଲେ ଜ୍ୟୋତି । ପରେ ମିଶନ
ଶକ୍ତି ଜରିଆରେ ୨ ଲକ୍ଷ ଟଙ୍କା ଋଣ ଆଣି କାଳିଆବାଲି ଗ୍ରାମରେ କୁକୁଡ଼ା ଫାର୍ମ କରିଥିଲେ । ଏବେ
ତାଙ୍କର ବାର୍ଷିକ ଆୟ ପ୍ରାୟ 4 ଲକ୍ଷରୁ ଅଧିକ ଟଙ୍କା । କେବଳ ନିଜେ ରୋଜଗାର କରୁନାହାନ୍ତି ବରଂ
ଗ୍ରାମର ଅନ୍ୟ କେତେକ ମହିଳାଙ୍କୁ ଏଥିରେ ସାମିଲ କରାଇବା ସହିତ ସେମାନଙ୍କୁ ରୋଜଗାରକ୍ଷମ
କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା