ବାରିପଦା, ୧୩ ଅଗଷ୍ଟ (ହି.ସ.) - ମୟୂରଭଞ୍ଜ ଜିଲ୍ଲା ଶାମାଖୁଂଟା ବ୍ଲକର କରଞ୍ଜିଆ ଛକ ନିକଟରେ ଏକ ଅଜଣା ଦ୍ରୁତଗାମୀ ଗାଡି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବଡ଼ସାହି ଥାନା ଅନ୍ତର୍ଗତ ହରିପୁର ଅଂଚଳର ଜଗବନ୍ଧୁ ନାଏକ। ସେ ପରିବାର ଲୋକଙ୍କ ସହ ବାଇକ ଯୋଗେ ଯାଉଥିଲେ। ରାସ୍ତା କଡରେ ଛିଡା ହୋଇଥିବା ବେଳେ ଏକ ଅଜଣା ବାଇକ ଦ୍ରୁତଗତିରେ ତାଙ୍କୁ ଧକ୍କା ଦେଇଥିଲା। ସେ ଭାରସାମ୍ୟ ହରାଇ ରାସ୍ତାରେ ପଡି ଯାଇଥିଲେ। ଯାହା ଫଳରେ ଜୋରରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ପିଆରଏମ ହସ୍ପିଟାଲ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। କଟକ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଛନ୍ତି। ଏନେଇ ତାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ବାରିପଦା ସଦର ଥାନାରେ ମାମଲା ରୁଜୁ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ