ଜୟପୁର, 13 ଅଗଷ୍ଟ (ହି.ସ.)
ସୁନାବେଡ଼ାରେ ଅବସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଆଣ୍ଟି-ରାଗିଂ ଦିବସ ପାଳନ ହେବା ସହ ଆଣ୍ଟି-ରାଗିଂ ସପ୍ତାହ ପାଳନର ଔପଚାରିକ ଉଦ୍ଘାଟନ କରାଯାଇଛି। ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। । ଆଣ୍ଟି-ରାଗିଂ କମିଟିର ଅଧୀନରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୂଖ୍ୟ ଓ ଅଧ୍ୟାପକଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଆଣ୍ଟି-ରାଗିଂ ଶପଥ ଗ୍ରହଣ କରିଥିଲେ। ଏହାପରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଏକ ସଚେତନତା ଯାତ୍ରାର ଆୟୋଜନ କରିଥିଲେ।
ଉଦ୍ଘାଟନ ସମାରୋହରେ ପ୍ରଫେସର ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଉତ୍କୃଷ୍ଟତା ପାଇଁ ଏକ ସୁନ୍ଦର ପରିବେଶ ତିଆରି କରିବାକୁ ଉତ୍ସାହିତ କରିଥିଲେ ଓ ରାଗିଂ ଭଳି ଅସଭ୍ୟ ଓ ନିନ୍ଦନୀୟ କାର୍ଯ୍ୟରୁ ଦୂର ରହିବା ପାଇଁ ଆହ୍ୱାନ ଜଣାଇଥିଲେ। ଆର୍ଥ ଶାସ୍ତ୍ର ବିଭାଗର ଅଧ୍ୟକ୍ଷ ତଥା ଆଣ୍ଟି-ରାଗିଂ କମିଟିର ଅଧ୍ୟକ୍ଷ ପ୍ରଫେସର ରଥୀକାନ୍ତ କୁମ୍ଭାର ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗର ନିର୍ଦ୍ଦେଶାନୁସାରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ।
ଛାତ୍ର କଲ୍ୟାଣ ଅଧିଷ୍ଠାତା ଓ ଆଣ୍ଟି-ରାଗିଂ କମିଟିର ସଂଯୋଜକ ଡ଼ଃ ରମେନ୍ଦ୍ର କୁମାର ପାଢ଼ୀ ୟୁଜିସିର ରାଗିଂ ବିରୋଧୀ ଦିଗନିର୍ଦ୍ଦେଶ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଜଣାଇଥିଲେ ଓ ଏହାର ପ୍ରଭାବ ବିଶ୍ବବିଦ୍ୟାଳୟ ଜୀବନ ଉପରେ କିପରି ପଡ଼େ ତାହା ବ୍ୟାଖ୍ୟା କରିଥିଲେ। । ସେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଆଣ୍ଟି-ରାଗିଂ ସପ୍ତାହ ୧୨ରୁ ୧୮ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ସମୟ ସୀମାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଚିତ୍ରାଙ୍କନ, ପ୍ରବନ୍ଧ, ଡିବେଟ ଓ ସୋସିଏଲ ମେଡିଆ ପାଇଁ ରିଲ୍ ତିଆରି କରିବା ଭଳି ପ୍ରତିଯୋଗିତା ଇତ୍ୟାଦି ଆୟୋଜିତ ହେବ।ର କାର୍ଯ୍ୟକ୍ରମ ରହିଛି ବୋଲି ଲୋକ ସଂପର୍କ ଅଧିକାରୀ ଡ଼ଃ ଫଗୁନାଥ ଭୋଇ ଜଣେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି