ଚମ୍ପୁଆ, ୧୩ ଅଗଷ୍ଟ (ହି.ସ.) - ଚମ୍ପୁଆ ଏନଏସି ପକ୍ଷରୁ ଆଜି ହର ଘର ତ୍ରିରଙ୍ଗା - ହର ଘର ସ୍ୱଚ୍ଛତା ପାଳନ ଅଭିଯାନ ଅବସରରେ ଏକ ବିଶାଳ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଚମ୍ପୁଆ ଏନଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବିଶାଳ ପଦଯାତ୍ରା ସ୍ଥାନୀୟ ନେହେରୁ ଷ୍ଟାଡିଅମ ଠାରୁ ବାହାରି ସହର ପରିକ୍ରମା କରିବା ପରେ ଏନଏସି କାର୍ଯ୍ୟାଳୟ ଧରଣୀଧର ନଗର ଭବନରେ ପହଂଚି ଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା , ଉପାଧ୍ୟକ୍ଷା ସୁମିତ୍ରା ବେହେରା ଯୋଗ ଦେଇଥିଲେ। ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପିଏମଶ୍ରୀ ମହତାବ ଉଚ୍ଚ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଶ୍ରୀ ଅରବିନ୍ଦ ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଜନସାଧାରଣ ଉତ୍ସାହ ଓ ଗର୍ବର ସହିତ ହାତରେ ତ୍ରିରଙ୍ଗା ପତାକା ଧରି ଦେଶାତ୍ମବୋଧକ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା ପରିଚାଳନା କରିଥିବା ବେଳେ କର୍ମଚାରୀ ବିଜୟ କୁମାର ମିଶ୍ର, ପ୍ରକାଶ ଚନ୍ଦ୍ର କୁଣ୍ଡୁ, ଅନନ୍ତ ଚରଣ ସାହୁ, ଏସ କେ ଶାହାବାଜଙ୍କ ସମେତ ସମସ୍ତ କର୍ମଚାରୀ ଓ ସ୍ୱଚ୍ଛସାଥୀ ମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / Trinath Mahanta