ଶିଳ୍ପୀ ମହାସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ
ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରିବାକୁ ଦାବି
ବାରିପଦା, 13 ଅଗଷ୍ଟ (ହି.ସ.)- ଓଡ଼ିଶା ଶିଳ୍ପୀ ମହାସଂଘର ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି। ତତ୍କାଳୀନ ବିଜେଡ଼ି ସରକାର ସମୟରେ ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ହୋଇଥିବା ବେଳେ ତାହାକୁ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି। ଯୋଜନା ଦ୍ଵାରା ବରିଷ୍ଠ ବୁଣାକାର ମାସିକ ଦୁଇ ହଜାର ଟଙ୍କା ପାଉଛନ୍ତି। କିନ୍ତୁ ପରିତାପର ବିଷୟ ଏଯାବତ ଜଣେ ହେଲେବି ହସ୍ତଶିଳ୍ପୀ ଏହି ଯୋଜନାରୁ ଉପକୃତ ହୋଇନାହାନ୍ତି। ଯୋଜନାରେ କିନ୍ତୁ କଳାକାରଙ୍କ ଭଳି ୪୦ ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ ବୁଣାକାର ଏବଂ ହସ୍ତଶିଳ୍ପୀ ଏହି ଯୋଜନାର ଲାଭାର୍ଥୀ ହୋଇପାରିବେ ବୋଲି ସରକାରୀ ନିୟମ ରହିଛି।
ଠିକ ସେହିଭଳି ଓଡ଼ିଶା ଶିଳ୍ପୀ ମହାସଂଘର ପ୍ରଗାଢ ଉଦ୍ୟମ ବଳରେ ଗଠିତ ହୋଇଥିବା ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ପରିଚାଳନା ବୋର୍ଡ ରାଜ୍ୟ ସରକାର ଗଠନ କରୁନାହାନ୍ତି। ଭୁବନେଶ୍ୱରରେ ପରିଷଦର କାର୍ଯ୍ୟାଳୟ ରହିଥିବା ବେଳେ ବୋର୍ଡ ଗଠନ ହୋଇନଥିବାରୁ ପରିଷଦ ବର୍ଷେ ହେବ ନିଷ୍କ୍ରିୟ ହୋଇ ପଡିରହିଛି। ଇତି ମଧ୍ୟରେ ନୂତନ ସରକାରକୁ ବର୍ଷେ ପୁରି ସାରିଥିବା ବେଳେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିଦାବିଷ୍ଣୁ ସାଜିଛି। ଓଡିଶା ଶିଳ୍ପୀ ମହାସଂଘର ବାରମ୍ବାର ଦାବୀ ସତ୍ତ୍ବେ ରାଜ୍ୟ ସରକାର ଆଦୌ କଣ୍ଠିପାତ କରୁନାହାନ୍ତି। ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ଅବିଚାର ପ୍ରତିବାଦରେ କାରିଗର ବହୁଳ ଜିଲ୍ଲାରେ ଆନ୍ଦୋଳନ ଗଢି ତୋଳିବାକୁ ଓଡିଶା ଶିଳ୍ପୀ ମହାସଂଘ ନିଷ୍ପତିକ୍ରମରେ ଦାବିପତ୍ର ପ୍ରଦାନ କରାଯାଇଛି। ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ଓଡିଶା ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରିବା ଏବଂ ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରର ବଜେଟକୁ ୫ହଜାର କୋଟି କରିବା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସମାବେଶରେ ଅନେକ କାରିଗର ଓ ବୁଣାକାର ସାମିଲ ଥିବା ବେଳେ ଦାବି ଉପସ୍ଥାପନ କରିଛନ୍ତି। ପୂର୍ବ ସରକାର ସମୟରୁ ଲାଗୁ କରାଯାଇଥିବା ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ମାସିକ ଆର୍ଥିକ ସହାୟତା ଯୋଜନାର ନିୟମାନୁଯାୟୀ ଯୋଗ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଯଥାଶୀଘ୍ର ପ୍ରଦାନ କରିବା, ମାସିକ ସହାୟତା ରାଶିକୁ ଦୁଇ ହଜାରରୁ ବୃଦ୍ଧି କରି ପାଂଚ ହଜାର କରିବା, ତତସହିତ କାରିଗରୀ ବା ବୁଣା କାମରେ ନିୟୋଜିତ ପରିବାରର ସମସ୍ତ ସଦସ୍ୟଙ୍କୁ ଏହି ଯୋଜନାରେ ସାମିଲ କରାଯାଉ ବୋଲି ଦାବି କରିଛନ୍ତି। ପୂର୍ବ ସରକାର କରିଥିବା ଅନେକ ଯୋଜନା ଏବେର ସରକାର ଜାରି ରଖିଥିବା ବେଳେ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ବୈମାତୃକ ଭାବକୁ ଓଡିଶା ଶିଳ୍ପୀ ମହାସଂଘ ଦୃଢ ନିନ୍ଦା କରିଛି। ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲା ଶହ ଶହ କାରିଗର ସାମିଲ ହୋଇ ମଧୁବନ ପଡିଆରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଆସିଥିଲେ। ମହାସଂଘର ରାଜ୍ୟ ସଭାପତି ଉଦୟ ମହାନ୍ତି, ଜିଲ୍ଲା ସଭାପତି କନକଲତା ମହାନ୍ତ, ସଂପାଦିକା ଦେବଯାନୀ ସେଠୀ, କଳ୍ପନା ଜେନା ଓ ସରୋଜିନୀ ମହାନ୍ତ ପ୍ରମୁଖ ନେତୃତ୍ବ ନେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ