ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ ଓ ଏହାର କାର୍ଯ୍ୟକ୍ଷମ ନିମନ୍ତେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟରେ କୃଷି ଭିତିଭୂମି ସୁଦୃଢ଼ ହେଲେ ହିଁ କୃଷକମାନେ ସଶକ୍ତ ହେବେ, ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ। ରାଜ୍ୟରେ ଶୀତଳ ଭଣ୍ଡାର ଏବଂ ଗୋଦାମର ବହୁତ ଆବଶ୍ୟକ ଥିବାରୁ ଏହାକୁ ଯଥାଶୀଘ୍ର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ପ୍ରତି ସବ୍ ଡିଭିଜନରେ ଅତିକମରେ ଗୋଟିଏ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ଅନୁମୋଦନ ପ୍ରାପ୍ତ କରିଛନ୍ତି । ଏଥି ନିମନ୍ତେ ବହୁ ସଂସ୍ଥା ଆବେଦନ ମଧ୍ୟ କରିଛନ୍ତି । ବର୍ତ୍ତମାନ ଏସବୁ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଯଥାଶୀଘ୍ର ଏସବୁକୁ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।ଏଥିସହିତ ସାର ଯୋଗାଣର ସ୍ଥିତିକୁ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା କରି କଳାବଜାରୀ ହ୍ରାସ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାବ୍ୟତୀତ ବିଭାଗର ଆଗାମୀ ରଣନୀତି ଓ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ କୁଲାଙ୍ଗେ ଗୋରଖ ୱାମନ, ମୃତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଶାସନ ସଚିବ ଶୁଭ୍ରାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା