ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ଆସନ୍ତାକାଲି (ଗୁରୁବାର) ସନ୍ଧ୍ୟା ୬ଟା ୩୦ରେ କଂଗ୍ରେସ ପକ୍ଷରୁ ସମସ୍ତ ଜିଲ୍ଲାରେ ' ଭୋଟ୍ ଚୋର, ଗାଦି ଛାଡ଼ ' ମଶାଲ ଶୋଭାଯାତ୍ରା କରାଯିବ। ସୂଚନାଯୋଗ୍ୟ, ଲୋକସଭାର ବିରୋଧୀଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଗତ ୭ ତାରିଖ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୋଗଙ୍କ ସହଯୋଗରେ ଭୋଟ୍ ଚୋରି ଜରିଆରେ ବିଜେପି କିପରି ଏକାଧିକ ନିର୍ବାଚନ ଜିଣିଛି, ବର୍ଣ୍ଣନା କରି ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିଲେ। ଏହାପରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ଉକ୍ତ ସାମ୍ବାଦିକ ସମ୍ମିଳନୀର ଅବତାରଣା କରାଯାଇଥିଲା। ' ଭୋଟ ଚୋର, ଗାଦି ଛାଡ଼ ' ସ୍ଲୋଗାନ ସହ ଗୁରୁବାର ସନ୍ଧ୍ୟାରେ ସମସ୍ତ ଜିଲ୍ଲାରେ ହେଉଥିବା ଦୁଇ କି.ମି.ର ମଶାଲ ଶୋଭାଯାତ୍ରା, ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଦଳ ଓ ଏହାର ନେତାଙ୍କୁ କଡା ଜବାବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଭୋଟ୍ ଚୋରି କରି କ୍ଷମତାକୁ ଆସିଥିବା ସରକାରଙ୍କୁ ହଟାଇବା ଆନ୍ଦୋଳନରେ ଜନସାଧାରଣ ବହୁ ସଂଖ୍ୟାରେ ସାମିଲ ହେବାପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ୱାନ କରିଛନ୍ତି।
ଅନ୍ୟପକ୍ଷରେ, ଗଣତନ୍ତ୍ରର ସୁରକ୍ଷା ପାଇଁ କଂଗ୍ରେସର ଆନ୍ଦୋଳନ ଜାରି ରହିବ ବୋଲି ଏଆଇସିସି ସାଧାରଣ ସମ୍ପାଦକ ( ସଂଗଠନ) କେ ସି ଭେନୁଗୋପାଲ ସୂଚନା ଦେଇଛନ୍ତି। ଆସନ୍ତା ୧୭ ଅଗଷ୍ଟ ଠାରୁ ବିହାରର ଏସଆଇଆର ଭୋଟ ଚୋରି ବିରୋଧରେ ଶ୍ରୀ ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଂଟର ନେତାମାନେ ବିହାରବ୍ୟାପୀ ଭୋଟ୍ ଅଧିକାର ଯାତ୍ରା କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା