ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ଆନ୍ତଃରାଜ୍ୟ ସଂଯୋଗ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତୀୟ ରେଳ ଟ୍ରେନ ନମ୍ବର ୨୦୪୭୨/୨୦୪୭୧ ପୁରୀ-ଲାଲଗଡ଼-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।
ବୁଧବାର ଦିନ ପୁରୀର ଲୋକସଭା ସାଂସଦ ସମ୍ବିତ ପତ୍ର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଂଟିଆଙ୍କ ଦ୍ୱାରା ବୁଧବାର ପୂର୍ବାହ୍ନରେ ପୁରୀ ରେଳ ଷ୍ଟେସନରୁ ଉଦଘାଟନୀ ପରିବର୍ଦ୍ଧିତ ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ବିଧାୟକ ସୁନୀଲ କୁମାର ମହାନ୍ତି ଉପସ୍ଥିତି ଥିଲେ।ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଆଲୋକ ତ୍ରିପାଠି ଏହି ଅବସରରେ ଯୋଗଦେଇ ଜାତୀୟ ସଂହତି ଏବଂ ଗତିଶୀଳତାକୁ ପ୍ରୋତ୍ସାହିତ କରିବାରେ ଏହି ରଣନୈତିକ ସମ୍ପ୍ରସାରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ଏହି ପଦକ୍ଷେପ ବଙ୍ଗୋପସାଗର କୂଳରେ ଥିବା ପୁରୀକୁ ରାଜସ୍ଥାନର ଥର ମରୁଭୂମି ନିକଟରେ ଥିବା ଶ୍ରୀ ଗଙ୍ଗାନଗର ସହିତ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ବିସ୍ତୃତ ଏକକ ରେଳ କରିଡର ମାଧ୍ୟମରେ ସଂଯୋଗ କରୁଅଛି । ଏହି ଟ୍ରେନ୍ ଏବେ ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ତୀର୍ଥଯାତ୍ରୀ, ଛାତ୍ର, ବ୍ୟବସାୟୀ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ସୁଲଭ ଏବଂ ସିଧାସଳଖ ସାପ୍ତାହିକ ଗମନାଗମନ ସେବା ପ୍ରଦାନ କରୁଛି ।
ଏହି ଟ୍ରେନ ପାଇଁ ଥିବା ସମୟସୂଚୀ ଅନୁଯାୟୀ ପୁରୀ ଏବଂ ଲାଲଗଡ଼ ମଧ୍ୟରେ ଟ୍ରେନ୍ ର ପୂର୍ବ ସମୟ ଉଭୟ ପାର୍ଶ୍ୱରୁ ଅପରିବର୍ତିତ ରହିଛି । ଲାଲଗଡ଼ ପରେ ଏହି ଟ୍ରେନ ଲୁଙ୍କାରଣସର, ସୁରତଗଡ଼, ରାୟ ସିଂହ ନଗର ଏବଂ ଶ୍ରୀ କରଣପୁରରେ ରହଣି ପ୍ରଦାନ କରି ରାତ୍ରି ୦୨ ଘ.୦୫ ମି.ରେ ଶ୍ରୀ ଗଙ୍ଗାନଗରରେ ପହଞ୍ଚିବ । ଫେରିବା ସମୟରେ ଏହି ଟ୍ରେନ ଶ୍ରୀ ଗଙ୍ଗାନଗରରୁ ଅପରାହ୍ନ ୦୨ ଘ.୧୦ମି.ରେ ଛାଡି ଲାଲଗଡ଼ରେ ସନ୍ଧ୍ୟା ୦୬ ଘ. ୩୦ ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୦୬ ଘ. ୩୨ ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ ।
ଏହି ସମ୍ପ୍ରସାରଣ ଜନସାଧାରଣଙ୍କ ଦୀର୍ଘକାଳୀନ ଦାବିକୁ ପୂରଣ କରିବା ସହ ଭାରତ ସରକାରଙ୍କ ଅନ୍ତର୍ଭୁକ୍ତ ବିକାଶ ଏବଂ ଶେଷ ମାଇଲ ସଂଯୋଗୀକରଣ ଦୃଷ୍ଟିକୋଣ ସହିତ ସମନ୍ୱିତ ରକ୍ଷାକରୁଅଛି । ଏହା ମଧ୍ୟ ପର୍ଯ୍ୟଟନ (ମହୋଦଧି ସ୍ଥିତ ଜଗନ୍ନାଥ ଧାମକୁ ମରୁଭୂମି ପର୍ଯ୍ୟଟନ କେନ୍ଦ୍ର ସହିତ ସଂଯୋଗ କରିବ), ବାଣିଜ୍ୟ (କୃଷି ଉତ୍ପାଦ ଏବଂ ହସ୍ତଶିଳ୍ପ ଭଳି ସାମଗ୍ରୀର ପରିବହନକୁ ସହଜ କରିବି), ଏବଂ ନିଯୁକ୍ତି (ଆତିଥ୍ୟ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ସୁଯୋଗ ବୃଦ୍ଧି) କୁ ଲାଭଦାୟକ କରିବ ବୋଲି ଆଶା କରାଯାଉଛି ।
ସାଂସ୍କୃତିକ ଦୃଷ୍ଟିରୁ ଏହା ଓଡ଼ିଶା ଏବଂ ରାଜସ୍ଥାନର ପରମ୍ପରାକୁ ଏକାଠି କରି ତୀର୍ଥଯାତ୍ରା ଏବଂ ଐତିହ୍ୟ ପର୍ଯ୍ୟଟନକୁ ଅଧିକ ସୁଗମ କରିବ ଏବଂ ବିବିଧତାରେ ଏକତା ଭାବନାକୁ ଦୃଢ଼ କରିପାରିବ । ଭାରତୀୟ ରେଳ ଏକ ଉତ୍ତମ ସଂଯୁକ୍ତ ଭାରତ ନିର୍ମାଣ ପାଇଁ ପ୍ରତିବଦ୍ଧ - ଯେଉଁଠାରେ ରେଳ ଭିତ୍ତିଭୂମି ଅଞ୍ଚଳ ସଂସ୍କୃତି ଏବଂ ଐତିହ୍ୟ ଗୁଡ଼ିକୁ ସଂଯୋଗ କରିଥାଏ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା